Latest Odisha News

ଲକ୍‌ଡାଉନ୍ କଟକଣା: ଭୁବନେଶ୍ୱରରେ ୮୪୭, କଟକରେ ୧୦୧୯ ଗାଡି ସିଜ୍‌

ଭୁବନେଶ୍ୱର: ୪୮ ଘଂଟାର ସଟଡାଉନ୍ ହଟିବା ପରେ ଟ୍ୱିନ୍ ସିଟିରେ ପୁଣି ଅମାନିଆ ଗାଡି ଚାଳକଙ୍କ ମନମାନି ଦେଖିବାକୁ ମିଳିଛି । ସରକାରଙ୍କ କଡା ନିର୍ଦ୍ଦେଶ ସତ୍ତ୍ୱେ ବିନା କାରଣରେ କିଛି ଲୋକେ ବାହାରେ ବୁଲିଛନ୍ତି । ସୋମବାର ବିଭିନ୍ନ ବାହାନା ଦେଖାଇ ବାଇକ ଧରି ଲୋକେ ପଦାକୁ ବାହାରିଥିଲେ । ତେବେ କମିଶନରେଟ୍ ପୋଲିସ ଏଭଳି ଅମାନିଆଙ୍କୁ ସାବାଡ କରିବା ପାଇଁ ସେମାନଙ୍କ ଗାଡିକୁ ସିଜ୍ କରିଛି ।

ଭୁବନେଶ୍ୱରେ ଗାଡି ଧରି ବିନା କାରଣରେ ବୁଲୁଥିବା ଯୁବକଙ୍କୁ ପୋଲିସ ପିଟିବା ସହ ସେମାନଙ୍କ ବାଇକକୁ ଜବତ କରିଛି । ଅପରାହ୍ମ ସୁଦ୍ଧା ୮୪୭ଟି ଗାଡି ସିଜ୍ ହୋଇଛି । ଜବତ ବାଇକ ମାଲିକଙ୍କଠାରୁ ପୋଲିସ ଫାଇନ୍ ଆଦାୟ କରିବ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।
ସେହିପରି କଟକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ପରିବା ମାର୍କେଟରେ ଲୋକେ ଅସମ୍ଭାଳ ଭିଡ ଜମାଇଥିଲେ । ବାଇକରେ ଆସି ଲୋକେ ବାହାରେ ବୁଲୁଥିଲେ । ଏଭଳି ଅମାନିଆଙ୍କୁ ପୋଲିସ ସାବାଡ କରିଛି । କଟକରି ପ୍ରାୟ ୧୦୧୯ ଗାଡି ଜବତ ହୋଇଛି । ଏନେଇ କଟକ ଡିସିପି ଅଖିଳେଶ୍ୱରର ସିଂ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ବଜାରକୁ ସଉଦା ପତ୍ର ଆଣିବାକୁ ବାଇକ କିମ୍ବା ଗାଡିରେ ଯିବାକୁ ବାରଣା କରାଯାଇଛି । ଚାଲି ଚାଲି ଯାଇ ନିଜ ଘର ପାଖ ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ କୁହାଯାଇଛି । ଯଦି କେହି ଏହାକୁ ଅମାନ୍ୟ କରନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.