Latest Odisha News

BREAKING NEWS

‘ଲକ୍ଷଣଯୁକ୍ତ ନେଗେଟିଭ ବ୍ୟକ୍ତିିଙ୍କ ଆର୍‌ଟିପିସିଆର୍ ଟେଷ୍ଟ ଆବଶ୍ୟକ’

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା । ଦିନକୁ ଦିନ ମହାମାରୀ ଉଗ୍ର ରୂପ ଧାରଣ କରୁଛି । ଏହାରି ଭିତରେ ସଠିକ୍ ଟ୍ରେସିଂ ଏବଂ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ଆଜିର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଶୀଘ୍ର ରେଜଲ୍ଟ ପାଇଁ ରାପିଡ୍ ଆଂଟିଜେନ୍ ଟେଷ୍ଟ କରାଯାଉଛି । ଅନେକ ଲକ୍ଷଣ ଥିବା ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ ଆସୁଛି । ଏହି ବ୍ୟକ୍ତିଙ୍କ ପୁଣି ଟେଷ୍ଟ କରିବା ଜରୁରୀ । ଲକ୍ଷଣଯୁକ୍ତ ନେଗେଟିଭ ବ୍ୟକ୍ତିଙ୍କ ଆର୍‌ଟିପିସିଆର୍ ଟେଷ୍ଟ କରାଯିବା ଆବଶ୍ୟକ । ନହେଲେ ସମ୍ପୃକ୍ତ ବ୍ୟକ୍ତି ସୁପର ସ୍ପ୍ରେଡର ହୋଇଯାଇପାରନ୍ତି ବୋଲି ସେ କହିଛନ୍ତି ।

ଏଥିସହ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦାବି କରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୁଷଣ କହିଛନ୍ତି ଯେ ଭାରତର ମୋଟ ଜନସଂଖ୍ୟା ତୁଳନାରେ ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁହାର କମ ରହିଛି ।

ଭାରତରେ ପ୍ରତି ନିୟୁତ ଜନସଂଖ୍ୟା ପିଛା କରୋନା ଆକ୍ରାନ୍ତ ସଂଖ୍ୟା ୩୧୦୨ ଥିବାବେଳେ ମୃତ୍ୟୁସଂଖ୍ୟା ୫୩ ରହିଛି । ପୁଣି ଏହି ମୃତ୍ୟୁହାର ଦ୍ରୁତଗତିରେ କମିଚାଲିଛି । ଅଗଷ୍ଟ ଆରମ୍ଭରେ ଦେଶର କରୋନା ଜନିତ ମୃତ୍ୟୁସଂଖ୍ୟା ୨.୧୫ ପ୍ରତିଶତ ଥିବାବେଳେ ଏବେ ତାହା ୧.୭ ପ୍ରତିଶତକୁ ହ୍ରାସ ପାଇଛି । ଦେଶର ମାତ୍ର ୫ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ତାମିଲନାଡ଼ୁରେ ୭୦ ପ୍ରତିଶତ ମୃତ୍ୟୁ ରହିଛି । ଆହୁରି ମଧ୍ୟ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫ ହଜାରରୁ କମ ଲେଖାଏଁ ସକ୍ରିୟ ମାମଲା ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.