Latest Odisha News

BREAKING NEWS

କଟକରେ କରୋନା ଆକ୍ରାନ୍ତଙ୍କ ଉନ୍ମତକାଣ୍ଡ

କଟକ: ରାଜ୍ୟ ସହ କଟକରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏହାରି ମଧ୍ୟରେ କଟକ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତି ଏଠାରେ ଘଟାଇଛନ୍ତି ଉନ୍ମତକାଣ୍ଡ।

ମିଳିଥିବା ସୂଚନାନୁସାରେ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଶନିବାର ୩୮ଜଣ କରୋନା ରୋଗୀଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତରକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚିହ୍ନଟ ରୋଗୀମାନେ କୋଭିଡ ହସ୍ପିଟାଲ ଯିବାକୁ ରାଜି ହୋଇନଥିଲେ। ସେମାନେ କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ କୋଭିଡ ହସ୍ପିଟାଲ ନ ଯାଇ ଏଠାରେ ଚିକିତ୍ସିତ ହେବେ ବୋଲି କହିଥିଲେ।

ଫଳରେ ଆସିଥିବା ଗାଡି ଚାଳକ ଓ ଅନ୍ୟ କର୍ମଚାରୀଙ୍କୁ ସେମାନେ ଅଡୁଆରେ ପକାଇଥିଲେ। ସ୍ଥାନାନ୍ତର କରିବାକୁ ଉଦ୍ୟମ କଲେ ସେମାନେ ଅନ୍ୟ ରୋଗୀ ଓ ସମ୍ପର୍କୀୟଙ୍କୁ ସଂକ୍ରମିତ କରିବେ ବୋଲି ଧମକ ଦେଇଥିଲେ। ଏହାକୁ ନେଇ ଦୀର୍ଘସମୟଧରି କୋଭିଡ ଆକ୍ରାନ୍ତ ଓ ଗାଡି ଚାଳକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ତେବେ ଏହି ଘଟଣାର ମଙ୍ଗଳାବାଗ ପୋଲିସ ହସ୍ତକ୍ଷେପ କରି ବୁଝାସୁଝା କରିବା ପରେ ଆକ୍ରାନ୍ତ ମାନେ ମେଡିକାଲ ଯାଇଥିବା ସୂଚନା ମିଳିଛି ।

ଗତକାଲି ସନ୍ଧ୍ୟାରେ କଟକରେ ଆଉ ୩୬ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ୮ ତାରିଖ ଯାଏଁ କଟକକୁ ସଟଡାଉନ ଘୋଷଣା କରାଯାଇଛି ।

Leave A Reply

Your email address will not be published.