Latest Odisha News

BREAKING NEWS

Vice President Election: ନାମାଙ୍କନ ଦାଖଲ କଲେ ଏନଡିଏ ପ୍ରାର୍ଥୀ ରାଧାକୃଷ୍ଣନ, ନିଜେ ପ୍ରସ୍ତାବକ ହେଲେ ମୋଦି….

ନୂଆଦିଲ୍ଲୀ: ଇଣ୍ଡିଆ ବ୍ଲକରୁ ଉପରାଷ୍ଟ୍ରପତି ପଦ ପାଇଁ ବି. ସୁଦର୍ଶନ ରେଡ୍ଡିଙ୍କ ନାମ ଘୋଷଣା ସହିତ, ଉପରାଷ୍ଟ୍ରପତି ପଦ ପାଇଁ ଦୌଡ଼ ଏବେ ରୋଚକ ହୋଇଛି । NDA ପ୍ରାର୍ଥୀ ସିପି ରାଧାକୃଷ୍ଣନ ଆଜି ଉପରାଷ୍ଟ୍ରପତି ପଦ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏନଡିଏ ଶାସିତ ରାଜ୍ୟର କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ସିପି ରାଧାକୃଷ୍ଣନଙ୍କ ନାମାଙ୍କନରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ପ୍ରସ୍ତାବକ ହୋଇଥିଲେ।

ରାଧାକୃଷ୍ଣନଙ୍କ ଦ୍ୱାରା ମୋଟ ଚାରୋଟି ସେଟ୍ ନାମାଙ୍କନ ଦାଖଲ କରାଯାଇଥିଲା। ପ୍ରତ୍ୟେକ ସେଟରେ ୨୦ ଜଣ ପ୍ରସ୍ତାବକ ଏବଂ ୨୦ ଜଣ ସମର୍ଥକଙ୍କ ଦସ୍ତଖତ ଥିଲା। ଗୋଟିଏ ସେଟରେ ପ୍ରଥମ ପ୍ରସ୍ତାବକ ଭାବରେ ପ୍ରଧାନମନ୍ତ୍ରୀଙ୍କ ଦସ୍ତଖତ ଥିଲା। ଏହିପରି ତିନୋଟି ସେଟ୍ ଦାଖଲ କରାଯାଇଥିଲା, ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ଏବଂ ଏନଡିଏ ସାଂସଦଙ୍କ ଦସ୍ତଖତ ଥିଲା।

ସେପଟେ ଇଣ୍ଡିଆ ଆଲାଏନ୍ସ ଉପରାଷ୍ଟ୍ରପତି ପଦ ପାଇଁ ବି. ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି। ମଙ୍ଗଳବାର ଦିନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବିରୋଧୀ ଦଳଗୁଡ଼ିକର ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବି. ସୁଦର୍ଶନ ରେଡ୍ଡୀଙ୍କ ନାମକୁ ଅନୁମୋଦନ କରାଯାଇଥିଲା। ବି. ସୁଦର୍ଶନ ରେଡ୍ଡୀ ତେଲେଙ୍ଗାନାର ବାସିନ୍ଦା, ସେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ବିଚାରପତି ଏବଂ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ରହିସାରିଛନ୍ତି। ସେ ୨୦୧୧ ମସିହାରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ। ତେଲେଙ୍ଗାନାରେ କଂଗ୍ରେସ ସରକାର ଜାତି ସର୍ଭେର ତଥ୍ୟ ବିଶ୍ଳେଷଣ କରିବା ପାଇଁ ଗଠିତ କମିଟିର ଅଧ୍ୟକ୍ଷ ଥିଲେ ବି ସୁଦର୍ଶନ ରେଡ୍ଡୀ।

ଅଗଷ୍ଟ ୨୧ ତାରିଖରେ ସୁଦର୍ଶନ ରେଡ୍ଡୀ ତାଙ୍କର ନାମାଙ୍କନ ଦାଖଲ କରିବେ। ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ଏବଂ ଇଣ୍ଡିଆ ବ୍ଲକ୍ ର ପ୍ରାର୍ଥୀଙ୍କ ନାମ ଘୋଷଣା ପରେ, ସାଂସଦମାନେ ଶିବିର ଗଠନ କରିବା ଆରମ୍ଭ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏନଡିଏ ପକ୍ଷରୁ ବିରୋଧୀ ଦଳଗୁଡ଼ିକ ସହିତ କଥାବାର୍ତ୍ତା କରୁଛନ୍ତି। ମଙ୍ଗଳବାର ଦିନ, ସିପି ରାଧାକୃଷ୍ଣନ ମଧ୍ୟ ଏନଡିଏ ନେତାମାନଙ୍କୁ ଭେଟି ସମର୍ଥନ ଲୋଡ଼ିଥିଲେ।

ଉପରାଷ୍ଟ୍ରପତି ନିର୍ବାଚନର କାର୍ଯ୍ୟସୂଚୀ-

ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ବିଜ୍ଞପ୍ତି- ୭ ଅଗଷ୍ଟ, ୨୦୨୫ (ଗୁରୁବାର)

ନାମାଙ୍କନ ଦାଖଲର ଶେଷ ତାରିଖ- ୨୧ ଅଗଷ୍ଟ, ୨୦୨୫ (ଗୁରୁବାର)

ନାମାଙ୍କନ ଯାଞ୍ଚ ତାରିଖ- ୨୨ ଅଗଷ୍ଟ, ୨୦୨୫ (ଶୁକ୍ରବାର)

ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ- ୨୫ ଅଗଷ୍ଟ, ୨୦୨୫ (ସୋମବାର)

ଆବଶ୍ୟକ ହେଲେ କେଉଁ ତାରିଖରେ ମତଦାନ କରାଯିବ – ୯ ସେପ୍ଟେମ୍ବର, ୨୦୨୫ (ମଙ୍ଗଳବାର)

ମୋଟଦାନ ସମୟ- ସକାଳ ୧୦.୦୦ ରୁ ସନ୍ଧ୍ୟା ୫.୦୦ ପର୍ଯ୍ୟନ୍ତ

ଯଦି ଆବଶ୍ୟକ ହୁଏ, ଭୋଟ ଗଣତି ତାରିଖ- ୯ ସେପ୍ଟେମ୍ବର, ୨୦୨୫ (ମଙ୍ଗଳବାର)

Comments are closed.