ପୁରୀ : ଦିନକୁ ଦିନ ବଢ଼ିବାରେ ଲାଗିଛି ରନ୍ଧନ ଗ୍ୟାସ୍ ଦର । ଏଥିପାଇଁ ଖୋଲାଖୋଲି ଭାବେ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ସି ପି ଆଇ( ଏମ୍) ନେତା ଶରତ ରାୟଗୁରୁ। ସେ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ନଅ ବର୍ଷ ଶାସନରେ ରନ୍ଧନ ଗ୍ୟାସ ୪୧୦ ଟଙ୍କାରୁ ୧୨୦୦ଟଙ୍କାରେ ପହଞ୍ଚିଛି । ହୋଲି ପୂର୍ବରୁ ଘରୋଇ ଗ୍ୟାସରେ ୫୦ଟଙ୍କା, ବ୍ୟାବସାୟିକ ଗ୍ୟାସରେ ୩୫୦ ଟଙ୍କା ବୃଦ୍ଧି ହୋଇଛି । ଆଜି ଏହାକୁ ବିରୋଧ କରି ସି ପି ଆଇ( ଏମ) ପକ୍ଷରୁ ପୁରୀ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସି.ପି.ଆଇ(ଏମ୍ ) ନେତା ଶରତ ରାୟଗୁରୁ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି, ଉଜ୍ବଳା ଗ୍ୟାସ୍ ନାଁରେ କେନ୍ଦ୍ର ସରକାର ଗରିବଙ୍କୁ ଠକିଛନ୍ତି । ଗୋଟିଏ ପଟେ ଖାଦ୍ୟ ସାମଗ୍ରୀ ଓ ଔଷଧରେ ଜିଏସ୍ଟି ବସାଇ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ କର୍ପୋରେଟ ସଂସ୍ଥାକୁ କୋଟି କୋଟି ଟିକସ ଛାଡିଲେ । ସେପଟେ ଲୋକଙ୍କ ହାତରେ କାମ ନାହିଁ କି ରୋଜଗାର ନାହିଁ । କିନ୍ତୁ ଗ୍ୟାସ ଦର ବଢ଼ାଇ ପୁଣି ଲୁଟିଲେ । ହେଲେ ଏହାଦ୍ୱାରା ପେଟ୍ରୋଲିଅମ କମ୍ପାନୀ ମାନେ ଲାଭବାନ ହେଲେ ।
ତୈଳ ଓ ଗ୍ୟାସ ଦରବୃଦ୍ଧି ନେଇ ନଅ ବର୍ଷ ପୂର୍ବେ ବିଜେପି ନେତା ରାସ୍ତାରେ ହୋ ହାଲ୍ଲା କରୁଥିଲେ । ହେଲେ ଆଜି ସେମାନେ ମୁହଁରେ ତୁଣ୍ଡି ଦେଇଛନ୍ତି କାହିଁକି ବୋଲି ସି.ପି.ଆଇ(ଏମ) ନେତା କହିଛନ୍ତି ।
ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୋଧରେ ଆଜି ସି.ପି.ଆଇ(ଏମ) ଦଳ ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଦେଶ ବଞ୍ଚାଅ… ମୋଦି ହଟାଅ ବୋଲି ନାରା ଦିଆଯାଇଛି ।
Comments are closed.