ପୁରୀ: ୨୦୦୭ ପ୍ରାରମ୍ଭିକ ସଂସ୍କରଣ ପରେ ୧୫ ବର୍ଷ ହେବ କ୍ରିକେଟପ୍ରେମୀ ଭାରତର ଟି୨୦ ବିଶ୍ୱକପ ବିଜୟକୁ ଚାତକ ପରିି ଚାହିଁ ବସିଛନ୍ତିି । ପଦ୍ମ ଘୁଂଚି ଘୁଂଚି ଯାଉଛି…. ଅଥଚ କପ ହାତକୁ ଆସୁନି । ଅଧିନାୟକ ବଦଳଠାରୁ ଆରମ୍ଭ କରି ଖେଳାଳିଙ୍କୁ ଏଥିପାଇଁ ଯଥେଷ୍ଟ ବିଶ୍ରାମ ଦିଆଯାଇଛି । ତଥାପି ଠିକଣା ସମୟରେ ଅନଫିଟ ସମସ୍ୟା ଟିମ ଇଣ୍ଡଆକୁ କଲବଲ କରୁଛି । ସବୁଠାରୁ ମଜାଦାର ରହସ୍ୟ ହେଲା ଆଇପିଏଲ ବେଳେ ଶତ ସିଂହର ବଳ ଜୁଟାଉ ଥିବା ଖେଳାଳି..ଆନ୍ତର୍ଜାତୀୟ ମ୍ୟାଚରେ ଫୁସସସ ହୋଇ ଯାଉଛନ୍ତି । ଭାରତର ଟପ ଥ୍ରୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି, ରୋହିତ ଶର୍ମା ଓ କେଏଲ ରାହୁଲ ଅଧିକାଂଶ ମ୍ୟାଚରୁ ଗାଏବ ରହିଛନ୍ତି । କୋହଲି ୫୯ ମ୍ୟାଚରୁ ୩୧ରେ ଖେଳି ନାହାନ୍ତି । ସେହିପରି ରୋହିତ ୨୫ ଓ ରାହୁଲ ୩୭ ମ୍ୟାଚ ମିସ କରିଛନ୍ତି । ଏହି ୩ ଖେଳାଳି ଆଇପିଏଲରେ ପ୍ରାୟତଃ ସେ ଭଳି ଆଖି ଦୃଶିଆ ମ୍ୟାଚ ମିସ କରି ନାହାନ୍ତି । ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତିକଙ୍କ ଅବସ୍ଥା ମଧ୍ୟ ସମାନ । ପ୍ରଶ୍ନ ଉଠୁଛି ଯଦି ଖେଳାଳିମାନଙ୍କ ପାଇଁ ବିଶ୍ରାମ ଜରୁରୀ ତାହାହେଲେ ସେମାନେ ଆଇପିଏଲରୁ କାହିଁକି ଓହରି ଯାଉ ନାହାନ୍ତି । ଅନ୍ୟ ଦେଶର ପ୍ରମୁଖ ଖେଳାଳି ଏହି ପନ୍ଥା ଆପଣାଇଛନ୍ତି ।
ଆଇପିଏଲକୁ ଆନ୍ତର୍ଜାତୀୟ ମ୍ୟାଚ ସହିତ ତୁଳନା କରିବା ଠିକ ହେବନି । ଅଥଚ ବିସିସିଆଇ ବାରମ୍ବାର ଖେଳାଳିମାନଙ୍କୁ ବିଶ୍ରାମ ଦେବା ଆଳରେ ଆନ୍ତର୍ଜାତୀୟ ମ୍ୟାଚରୁ ଦୂରେଇ ରଖୁଛନ୍ତି । ଅଧିକ ବିଶ୍ରାମ ସତ୍ୱେ ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାହ ବାଦ ପଡି ସାରିଛନ୍ତି । ଆଉ ଜଣେ ଦୁଇ ଜଣ ଖେଳାଳିଙ୍କ ଆଘାତ ସମସ୍ୟାକୁ ଲୁଚାଇ ରଖାଯାଇଛି । ବିଶ୍ୱକପ ପରି ମେଗା ଇଭେଂଟ ପୂର୍ବରୁ ଖେଳାଳି ଫର୍ମ ଏବଂ ଫିଟରେ ରହିବା ଯେତିକି ଜରୁରୀ ଅଭ୍ୟାସ ବି ସେତିକି ଆବଶ୍ୟକ । ବିଶ୍ୱକପର ଚାପଭରା ମୁକାବିଲାକୁ ଆମ ଖେଳାଳି ଠିକ ଭାବେ ସାମ୍ନା କରିପାରିବେ ତ? ଆଇପିଏଲ ମାଧ୍ୟମରେ କ୍ରିକେଟର ତାରକା ସାଜୁଛନ୍ତି ସତ.. ମାତ୍ର ଖେଳାଳିର ପାଗଳାମୀ ଏବଂ ଦେଶ ପାଇଁ ଜିତିବା ଝୁଙ୍କ ବୋଧହୁଏ ସେମାନେ ହରାଉଛନ୍ତି ।
Comments are closed.