Latest Odisha News

BREAKING NEWS

ଖାରବେଳ ସ୍ୱାଇଁଙ୍କ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ରାୟଗଡ଼ା : ଉତ୍କଳ ଭାରତ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଇନ୍ସପେକ୍ଟର ସରୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ ରାୟଗଡ଼ାର କାଶୀପୁରରେ ତଦନ୍ତ ପାଇଁ ପହଞ୍ଚିଛନ୍ତି । ଏହି ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ସୁମନ୍ତ ନାୟକ ଏବଂ ପି ଗୋବିନ୍ଦ ରାଓ ୩ ଦିନିଆ ରିମାଣ୍ଡରେ ଥିବା ନେଇ ଜଣାପଡିଛି ।

ଏଥିସହିତ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ରାଜେନ୍ଦ୍ର ପ୍ରସାଦ ଶର୍ମା ବରିଷ୍ଠ ନେତା ଖାରବେଳ ଯେଉଁ ଯେଉଁ ଜିଲ୍ଲାମାନଙ୍କରେ ଯାତାୟାତ କରୁଛନ୍ତି ସେହି ଜିଲ୍ଲାର ଏସପି ମାନଙ୍କୁ ଅତିରିକ୍ତ ନିରାପତ୍ତା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ରବିବାର ଦିନ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଶର୍ମା କହିଛନ୍ତି “ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚଟିମ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହିତ ଏହି ପୂର୍ବତନ ସାଂସଦଙ୍କୁ ଆକ୍ରମଣ ପଛରେ କାହାର ଷଡଯନ୍ତ୍ର ରହିଛି ତାର ଏକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତିତ ରାଜ୍ୟ ତଦନ୍ତ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ବାଲେଶ୍ୱର ଜିଲ୍ଲାର ଖଇରାରେ ମଧ୍ୟ ତାଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ସେସବୁ ଘଟଣା ମଧ୍ୟ ତଦନ୍ତ ସାପେକ୍ଷ” ବୋଲି ସେ ପ୍ରକାଶ କରିଛନ୍ତି ।

ତେବେ ଗତ ୨୪ ତରିଖ ଦିନ ରାୟଗଡାସ୍ଥିତ କାଶିପୁରରେ ଏକ ସଭାସ୍ଥଳୀରେ କିଛି ଯୁବକ ଗାଳିଗୁଲଜ କରିବା ସହ ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିସହିତ ଏହି ଆକ୍ରମଣ ପଛରେ ବିଜେଡି କର୍ମୀଙ୍କ ହାତ ଥିବା ନେଇ ଖାରବେଳ ସ୍ୱାଇଁ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.