Latest Odisha News

BREAKING NEWS

ହକି ବିଶ୍ୱକପ୍: ଦୁଲୁକୁଛି ରାଜଧାନୀ, ଉଦଘାଟନୀ ପ୍ରତିକ୍ଷାରେ ଦର୍ଶକ

ଭୁବନେଶ୍ୱର : ଆଉ ମାତ୍ର କିଛି ମୂହୁର୍ତ୍ତ ପରେ କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହେବ ‘ହକି ବିଶ୍ୱକପ୍’ର ଉଦଘାଟନୀ ଉତ୍ସବ। ଏଥିସହିତ ଓଡିଶାର କ୍ରୀଡା ଇତିହାସରେ ଯୋଡି ହୋଇଯିବ ଆଉ ଏକ ସ୍ୱର୍ଣ୍ଣିମ ଫର୍ଦ୍ଦ ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ‘ହକି ବିଶ୍ୱକପ’ର ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ ପାଇଁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ। ଓଡ଼ିଶା ସରକାରଙ୍କ ତରଫରୁ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ସବୁ ପ୍ରକାର ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ହକି ବିଶ୍ୱକପ୍ ପାଇଁ ଚଳଚଞ୍ଚଳ ହୋଇ ଉଠିଥିବା ରାଜଧାନୀ ଭୁବନେଶ୍ୱର ପୂରାପୂରି ନବବଧୂ ଭାବେ ସଜେଇ ହୋଇଯାଇଛି । ଏଥିସହିତ ଥ୍ରୀ-ଡି ୱାଲ ପେଣ୍ଟିଙ୍ଗର ସମ୍ଭାରରେ ଆଭୂଷିତ ହୋଇଛି ରାଜଧାନୀ । ଯାହାର ସୌନ୍ଦର୍ଯ୍ୟ ଦେଖିଲେ ରାଜ୍ୟ ତଥା ବିଦେଶୀ ଅତିଥି ମାନେ ନିଶ୍ଚୟ ମନ୍ତ୍ରମୁଗ୍ଧ ହେବେ ।

ଏହି ଉଦଘାଟନୀ ସନ୍ଧ୍ୟାକୁ ଦର୍ଶକ ମାନେ ଚାତକ ଭଳି ଚାହିଁ ରହିଛନ୍ତି । ଆଜିର ସନ୍ଧ୍ୟାରେ ବଲିଉଡ୍ କିଙ୍ଗ୍ ଶାହରୁଖ୍ ଖାନ୍ ଓ  ଧକଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ୍ ଙ୍କ ଭଳି ତାରକାଙ୍କ ନୃତ୍ୟରେ ମତୁଆଲ ହେବେ କୋଟି କୋଟି ଦର୍ଶକ । ସେହିପରି ଅନ୍ୟତମ ଆକର୍ଷଣ ପାଲଟିବେ ସଂଗୀତର ଯାଦୁଗର ଏ.ଆର୍ ରେହେମାନ୍। ଏହି ଉଦଘାଟନୀ ଉତ୍ସବରେ ଓଡିଆ ସିନେ ଜଗତର ତାରକା ମାନେ ମଧ୍ୟ ଧମାଲରେ ଦୁଲୁକିବ ଷ୍ଟାଡିୟମ୍ ।

ଆହୁରି ମଧ୍ୟ ବିଦେଶୀ ଖେଳାଳି ଓ ଅତିଥିଙ୍କ ସୁରକ୍ଷା ପାଇଁ କଳିଙ୍ଗ ଷ୍ଟାଡ଼ିୟମ୍ ପୋଲିସର ଛାଉଣୀ ମଧ୍ୟରେ ରହିଛି । ଉଦ୍ଘାଟନୀ ଉତ୍ସବ ପାଇଁ ୭୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ଟ୍ରାଫିକ୍ କଣ୍ଟ୍ରୋଲ୍ ପାଇଁ ଜନତା ମୈଦାନ, ନୟାପଲ୍ଲୀ ଦୁର୍ଗାପୂଜା ପଡିଆ, ଶାସ୍ତ୍ରୀ ନଗର, ନିକୋ ପାର୍କ ରୋଡ, ଓଲ୍ଡ ଏଜି କଲୋନୀ, ଇଡକଲ ଗ୍ରାଉଣ୍ଡ ସମେତ କଳିଙ୍ଗ ଷ୍ଟାଡିୟମର ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

ସେହିପରି ଦର୍ଶକଙ୍କ ଯାତାୟାତ ପାଇଁ ଜନତା ମୈଦାନରୁ କଳିଙ୍ଗ ଷ୍ଟାଡିୟମକୁ ସ୍ୱତନ୍ତ୍ର ଭାବେ ୧୫ଟି ବସ୍ ଚଳାଚଳର ବ୍ୟବସ୍ଥା କରାଯାଇ ଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.