Latest Odisha News

BREAKING NEWS

ପାରାଦୀପରେ କେମିତି ହେଲା ରୁଷୀୟ ନାଗରିକଙ୍କ ମୃତ୍ୟୁ? କ୍ରାଇମବ୍ରାଞ୍ଚ ତଦନ୍ତର ସଙ୍କେତ ଦେଲେ ଡିଜିପି

ପାରାଦୀପ : ପାରାଦୀପରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ଡିଜିପି ସୁନୀଲ ବଂଶଲ । ଆବଶ୍ୟକ ହେଲେ କ୍ରାଇମବ୍ରାଞ୍ଚ ତଦନ୍ତ ହୋଇପାରେ ବୋଲି କହିଛନ୍ତି ଡିଜିପି । ଏକ ଜାହାଜର ରୁଷୀୟ ଚିଫ୍ ଇଞ୍ଜିନିୟରଙ୍କ ମୃତ୍ୟୁ ନେଇ ସ୍ଥାନୀୟ ପୋଲିସକୁ ପୋର୍ଟ କର୍ତ୍ତୃପକ୍ଷ ସୂଚିତ କରିଥିଲେ । ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଛି ।
ଆଜି ସକାଳେ ପାରାଦୀପ ପୋର୍ଟ ଆଙ୍କରେଜ୍ରେ ଜାହାଜର ଚିଫ୍ ଇଞ୍ଜିନିୟର ୫୧ ବର୍ଷୀୟ ମିଲ୍ ୟାକୁବ ସର୍ଜେଇଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏମ୍ ବି ଆଲଦାନହ ନାମକ ଜାହାଜ ପାରାଦୀପକୁ ଲୁହାପଥର ନେବା ପାଇଁ ବାଂଲାଦେଶ ଚିଟାଗଙ୍ଗରୁ ଆସିଥିଲା । ଏଠାରୁ ଜାହାଜ ମୁମ୍ୱାଇ ଅଭିମୁଖେ ଯାଇଥାନ୍ତା ବୋଲି କହିଛନ୍ତି ପୋର୍ଟ ଚେୟାରମ୍ୟାନ ପି.ଏଲ୍ ହରନନ୍ଦ । ଭୋର ୩ଟାରେ ପୋଲିସ ଖବର ପାଇବା ପରଠୁ ଗାଇଡଲାଇନ ଅନୁସାରେ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି ।

ତେବେ ଚିଫ୍ ଇଞ୍ଜିନିୟରଙ୍କ ମୃତ୍ୟୁ କେମିତି ହେଲା, ତାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋର୍ଷ୍ଟମର୍ଟମ ଓ ତଦନ୍ତ ପରେ ସାମ୍ନାକୁ ଆସିବ ପ୍ରକୃତ କାରଣ । ହୃଦଘାତରୁ ମୃତ୍ୟୁ ନା ଆଉ କିଛି ତାହା ଜଣାପଡିବ ।

ରାୟଗଡାରେ ଡିସେମ୍ୱର ମାସରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ରାଜ୍ୟ ପୋଲିସ ତତ୍ପର ରହିଛି । ଦିଲ୍ଲୀର ଗାଇଡ୍ ଜିତେନ୍ଦ୍ର ସିଂ ଙ୍କ ସହିତ ଭ୍ଲାଦିମିର ବିଦେନୋଭ ଓ ପାଭେଲ ଆଣ୍ଟୋଭ ରାୟଗଡାକୁ ଆସି ହୋଟଲେ ସାଇ ଇଣ୍ଟରନ୍ୟାସନାଲରେ ରହିଥିଲେ । ଡିସେମ୍ୱର ୨୨ ତାରିଖରେ ବିଦେନୋଭଙ୍କୁ ରୁମରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ୨୪ ତାରିଖରେ ରୁଷୀୟ ସାଂସଦ ହୋଟେଲର ତୃତୀୟ ମହଲାରୁ ଖସି ମୃତ୍ୟୁବରଣ କରିଥିଲେ । ଏବେ ପୁଣି ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ରାଜ୍ୟ ପୋଲିସର ଚିନ୍ତା ବଢାଇଛି ।

Leave A Reply

Your email address will not be published.