Latest Odisha News

BREAKING NEWS

ବଢ଼ିଛି ଅପରାଧ, ଅନେକ ମାମଲାରେ ଦାଖଲ ହୋଇପାରିନି ଚାର୍ଜସିଟ୍: ଶ୍ୱେତପତ୍ର

ଭୁବନେଶ୍ୱର: ଗୃହ ବିଭାଗ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ଶ୍ୱେତପତ୍ରରେ କୁହାଯାଇଛି ଯେ ୨୦୨୨ରେ ଓଡ଼ିଶାରେ ୧ ଲକ୍ଷ ୭୮ ହଜାର ୧୯୦ଟି ଅପରାଧିକ ମାମଲା ରୁଜୁ ହୋଇଛି। ଏଥିରୁ ୩୧୮୪ଟି ଦୁଷ୍କର୍ମ, ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୫୩୫୨ଟି ପ୍ରତାରଣା, ୨୯୯୮ଟି ଚୋରି ସହ ୧୧୬୬୩ଟି ଦୁର୍ଘଟଣା ମାମଲା ରୁଜୁ ହୋଇଛି।

ସେହିପରି ଶ୍ୱେତପତ୍ରରେ ଦାବି କରାଯାଇଛି ଯେ ମୋଟ ୧,୭୮,୧୯୦ଟି ମାମଲା ମଧ୍ୟରୁ ୧,୧୮,୫୪୭ଟି ଅପରାଧିକ ମାମଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରିଛି। ମୋଟ ୧୩୭୯ଟି ହତ୍ୟା ମାମଲା ମଧ୍ୟରୁ ୬୪୦ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ସେହିପରି ୨୦୨୨ ଶେଷ ସୁଦ୍ଧା ମୋଟ ୩,୧୮୪ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୨,୨୩୭ଟି ମାମଲାରେ ପୁଲିସ ଚାର୍ଜସିଟ୍ ଦାଖଲ ହୋଇଛି ବୋଲି ଏଥିରେ କୁହାଯାଇଛି। ଅର୍ଥାତ ୫୧,୧୮୮ଟି ମାମଲାର ଚାର୍ଜସିଟ୍ ଦାଖଲ କରିବାରେ ପୁଲିସ ବିଫଳ ହୋଇଛି।

ଶ୍ୱେତପତ୍ର ଅନୁଯାୟୀ, ୨୦୨୨ରେ ଓଡ଼ିଶାରେ ମୋଟ ୧ ହଜାର ୯୮୩ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି। ରାଜ୍ୟରେ ସାଇବର ଅପରାଧରେ ୪୪୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଧର୍ତ୍ତବ୍ୟ ଅପରାଧ ହାର ପ୍ରାୟ ୧୪.୬୫% ବୃଦ୍ଧି ପାଇଛି । ୨୦୨୧ରେ ରାଜ୍ୟରେ ମୋଟ ଧର୍ତ୍ତବ୍ୟ ଅପରାଧ ୧ଲକ୍ଷ ୫୫ହଜାର ୪୨୦ଟି ରୁଜୁ ହୋଇଥିବାବେଳେ ୨୦୨୨ ମସିହାରେ ଏହି ସଂଖ୍ୟା ୧ଲକ୍ଷ ୭୮ହଜାର ୧୯୦କୁ ବୃଦ୍ଧି ପାଇଛି । ୨୦୨୧ ମସିହା ତୁଳନାରେ ୨୦୨୨ ମସିହାରେ ଅଧିକ ୨୨୭୭୦ଟି ଅଧିକ ଅପରାଧ ସଂଘଟିତ ହୋଇଛି। ସେହିପରି

୨୦୨୨ରେ ରାଜ୍ୟରେ ମାଓ କାର୍ଯ୍ୟକଳାପ ପୂର୍ବ ଅପେକ୍ଷା ହ୍ରାସ ପାଇଛି। ଗତବର୍ଷ ରାଜ୍ୟରେ ୨୭ଟି ମାଓ ହିଂସା ମାମଲା ରୁଜୁ ହୋଇଛି। ୨୦୨୨ରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ଅନ୍ୟୂନ ୭ ଜଣ ମାଓବାଦୀ ନିପାତ ହୋଇଥିବା ବେଳେ ଅନ୍ୟ ୧୨ ଜଣଙ୍କୁ ଗିରଫ କରାଯାଇଛି। ତିନି ଜଣ ମାଓବାଦୀ ମାରଣାସ୍ତ୍ର ରଖିଥିବା ଜଣାପଡ଼ିଛି। ଗତବର୍ଷ ଓଡ଼ିଶାରେ ବାମପନ୍ଥୀ ଉଗ୍ରବାଦରେ ଅତିକମରେ ଆଠ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ବୋଲି ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି।

ତେବେ ୨୦୨୨ରେ ରାଜ୍ୟରେ ରାଜନୈତିକ ହିଂସା ଓ ସାମ୍ପ୍ରଦାୟିକତାର କୌଣସି ଘଟଣା ଘଟିନଥିବା ଶ୍ୱେତପତ୍ରରେ ଦାବି କରାଯାଇଛି। ବର୍ଷସାରା ଓଡ଼ିଶାରେ ସାମଗ୍ରିକ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା। ୨୦୨୨ରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା ବୋଲି ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.