ଧଉଳି: ଅପରାଧୀଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ଗର । ଧଉଳି ଥାନା ଅଧୀନ ଲିଙ୍ଗିପୁର ବିଦ୍ୟୁତ ସବଷ୍ଟେସନ ନିକଟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ପରିତ୍ୟକ୍ତ କୋଠା ଘରେ ଏକ ଅପରାଧୀ ଗ୍ୟାଙ୍ଗ ଅପରାଧ ଘଟାଇବା ପାଇଁ ଆଡ୍ଡା ଜମାଇଥିବାବେଳେ ଧଉଳି ଥାନା ପୁଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିଥିଲା ।
ପୋଲିସ ଯେତେବେଳେ ସେହି ଗ୍ୟାଙ୍ଗକୁ ଧରିବାକୁ ଉଦ୍ୟମ କରିଥିଲା , ସେତେବେଳେ ଅପରାଧୀଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ଅପରାଧୀଙ୍କ ଆକ୍ରମଣରେ ଜଣେ ଏସଆଇ ଏବଂ ହାବିଲଦାର ଗୁରୁତର ହୋଇଛନ୍ତି । ଏସଆଇ ଜଣକ ସନ୍ତୋଷ ବଳ ଏବଂ ହାବିଲଦାର ରାଜକିଶୋର ବାଗ ବୋଲି ଜଣାପଡିଛି ।
ହାତୁଡ଼ାରେ ଜଣେ ଅଭିଯୁକ୍ତ ଏସଆଇ ସନ୍ତୋଷ ବଳଙ୍କ ଉପରେ ଆକ୍ରମଣ କରିଥିଲେ । ହେଲେ ସେଠାରେ ଉପସ୍ଥିତ ଥିବା ସାଥୀ ପୋଲିସ କର୍ମଚାରୀ ତାକୁ କାବୁ କରି ନେଇଥିଲେ। ଦୀର୍ଘ ସମୟ ଧରି ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ମାରପିଟ ଚାଲିଥିଲା। ସ୍ପେଶାଲ ସ୍କ୍ବାର୍ଡ଼ ଓ ପୁଲିସ କଣ୍ଟ୍ରୋଲ ରୁମକୁ ଖବର ଦିଆଯାଇଥିଲା । ପରେ ଧଉଳି ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତ ଘଟଣାସ୍ଥଳରେ ପହଞ୍ଚି ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବାବେଳେ ଅନ୍ୟ ୮ ଅଭିଯୁକ୍ତ ଖସି ପଳାଇଛନ୍ତି । ଅନ୍ୟପଟେ ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ହାପି ଜଣେ ପୁଲିସ କର୍ମଚାରୀଙ୍କ ହାତକୁ କାମୁଡ଼ି ଫେରାର ହୋଇଯାଇଛି ।
Comments are closed.