Crocodiles And Bird census: ଜାନୁଆରୀ ୪ରୁ ସାତକୋଶିଆରେ କୁମ୍ଭୀର ଓ ପକ୍ଷୀଗଣନା, ମତ୍ସ୍ୟଜୀବୀଙ୍କୁ ନଦୀକୁ ଯିବା ମନା
ଅନୁଗୁଳ: ଏବେ ଚାଲିଛି ଶୀତ ଋତୁ । ଦେଶ ବିଦେଶରୁ ବହୁ ପକ୍ଷୀଙ୍କ ଆଗମନ ହୋଇଛି ଓଡିଶାକୁ । ଏହି ଅବସରରେ ଅନୁଗୁଳ ଜିଲ୍ଲାର ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଥିବା ୫ଟି ବନାଞ୍ଚଳରେ ପକ୍ଷୀ ସହ କୁମ୍ଭୀର ଗଣନା ହେବ । ଜାନୁଆରୀ ୪ ରୁ ୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଏବଂ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ସାତକୋଶିଆରେ ଏହି ଗଣନା କରାଯିବ ।
୧୨ଟି ଦେଶୀ ଡଙ୍ଗା ଓ ୨ଟି ବୋଟ୍ ଏଥିଲାଗି ପ୍ରସ୍ତୁତ କରାଯାଇଛି । ଏହି ସମୟ ମଧ୍ୟରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ବନ ବିଭାଗ ପକ୍ଷରୁ ନଦୀକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଏଥିଲାଗି ୧୪ ୟୁନିଟ୍ ଗଠନ କରାଯାଇଥିବା ବେଳେ ପ୍ରତି ୟୁନିଟ୍ ରେ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ବନବିଭାଗ ପକ୍ଷରୁ ମୋବାଇଲ ଟ୍ରାକିଂ, ଜିପିଏସ, ବାଇନାକୁଲାର୍ ଓ ସ୍ବତନ୍ତ୍ର କ୍ୟାମେରାର ବ୍ୟବସ୍ଥା କରାଯାଇଛି ।
ସେହିପରି ମହାନଦୀର ସାତକୋଶିଆ ଗଣ୍ଡ ଓ ଶିଶୁ ପଥର ଡ୍ୟାମ୍ ରେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । କୁମ୍ଭୀର ଓ ପକ୍ଷୀ ଗଣନା ଟିକରପଡାରୁ ବିନି କେଇ, ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼ ପର୍ଯ୍ୟନ୍ତ ହେବ । ସେହିପରି ଆଠମଲ୍ଲିକର ହରଭଙ୍ଗାରୁ ଅଏଡା, ଲୁଣାହାଣ୍ଡି, ବେଲପୁଞ୍ଜି ମଠ, ମଠ, ଶିଶୁ ପଥର ଡ୍ୟାମ ସମେତ ଆଖପାଖର ବିଭିନ୍ନ ଜଳାଶୟରେ ଏହି ଗଣନା କରାଯିବ ।