Latest Odisha News

BREAKING NEWS

ଶେଷ ହେଲା ସାତକୋଶିଆର କୁମ୍ଭୀର ଗଣନା, ୧୯ କୁମ୍ଭୀର ଚିହ୍ନଟ

ବୌଦ୍ଧ:  ବୌଦ୍ଧ ବନଖଣ୍ଡ କୁସଙ୍ଗ ରେଞ୍ଜ ଅଧୀନ ମହାନଦୀ ସାତକୋଶିଆ ଗଣ୍ଡରେ ଶେଷ ହୋଇଛି ୩ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା। ଏହି ଗଣନା ପରେ ସମୁଦାୟ ୧୯ ଟି କୁମ୍ଭୀର ଥିବା ବେଳେ ୧୧ ଟି ଘଡିଆଳ ଓ ୮ ଟି ମଗର ପ୍ରଜାତିର କୁମ୍ଭୀର ଥିବା ସୂଚନା ମିଳିଛି। ୧୧ ଟି ଘଡିଆଳ ମଧ୍ୟରୁ ୩ ଟି ବଡ  ଓ ୮ ଟି ଛୁଆ ଘଡିଆଳ ଥିବାବେଳେ  ୮ ଟି ମଗର ପ୍ରଜାତିର କୁମ୍ଭୀର ମଧ୍ୟରୁ ୫ ଟି ବଡ  ଓ ୩ ଟି ଛୁଆ ମଗର ଅଛନ୍ତି ।

ସୂଚନା ଅନୁଯାୟୀ,  ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ବୌଦ୍ଧ ଜିଲ୍ଲା ସାତକୋଶିଆ ଗଣ୍ଡରେ କୁସଙ୍ଗ ରେଞ୍ଜ ପକ୍ଷରୁ ଚଳିତ ବର୍ଷର କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।  ୩ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ଶୁକ୍ରବାର ଶେଷ ହୋଇଥିବା ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ସୂଚନା ଦେଇଛନ୍ତି। ମହାନଦୀର ଏହି ଗଣ୍ଡରେ ୨୦୨୪ ମସିହାରେ ୩୫ ଗୋଟି କୁମ୍ଭୀର ଅଣ୍ଡାରୁ ସୁସ୍ଥ ଶାବକ ଜନ୍ମ ନେଇଥିଲେ। ବର୍ଷା ଋତୁ ପୂର୍ବରୁ କୁମ୍ଭୀର ଶାବକ ଅଣ୍ଡାରୁ ଜନ୍ମ ନେଇଥିବାରୁ ନଦୀ ବନ୍ୟାରେ କିଛି ଶାବକ ପ୍ରତି ବର୍ଷ ଅନ୍ୟତ୍ର ଚାଲି ଯାଇଥାନ୍ତି । ପ୍ରତି ବର୍ଷ ଅବଶିଷ୍ଟ କୁମ୍ଭୀରଙ୍କ ବଂଶ ରକ୍ଷା ନେଇ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ହେଉଥିବା ସେ କହିଛନ୍ତି।

ଚଳିତ ବର୍ଷ ଏହି ରେଞ୍ଜ ଅଧୀନ ମାରଡ଼ା ଠାରୁ ଶୀତଲପାଣି, ଶୀତଲପାଣି ଠାରୁ ହରଭଙ୍ଗା ଏବଂ ହରଭଙ୍ଗା ଠାରୁ ଅଏଡା ପର୍ଯ୍ୟନ୍ତ ତିନି ଭାଗରେ ତିନୋଟି ଟିମକୁ ଭାଗ କରାଯାଇ ମାଛ ମରା ଡଙ୍ଗାରେ ବିଭିନ୍ନ ଉପକରଣ ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଛି । ଏହି ତିନି ଗୋଟି ଟିମରେ ୩ ଜଣ ଫରେଷ୍ଟର, ୩ ଜଣ ଫରେଷ୍ଟ ଗାର୍ଡ ଓ ୬ ଜଣ ସ୍କ୍ୱାର୍ଡ କର୍ମଚାରୀ ସାମିଲଥିଲେ ।

Comments are closed.