Latest Odisha News

BREAKING NEWS

ଲଗାଣ ବର୍ଷାରେ ଉଜୁଡିଗଲା ଚାଷ

ଯାଜପୁର: ଗତ କିଛି ଦିନ ଧରି ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ଚାଷ କାର୍ଯ୍ୟ । ବିଶେଷକରି ବୈତରଣୀ ଏବଂ ଏହାର ଶାଖା ନଦୀ ମାନଙ୍କରେ ବନ୍ୟା ଆସିବା ଫଳରେ ଯାଜପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପନିପରିବା ଚାଷ ପାଣିରେ ବୁଡି ରହିବା ଫଳରେ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ସେହିଭଳି ଧାନ ବିଲରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି ।

ଧାନ ଫସଲ ଠାରୁ ଆରମ୍ଭ କରି ପନିପରିବା ଚାଷ ପର୍ଯ୍ୟନ୍ତ ସବୁ କିଛି ଉଜୁଡିଯାଇଛି । ଯାଜପୁର ବ୍ଲକ ସିମିଳିଆରେ ଏକର ଏକର ଚାଷ ଜମିରେ ବନ୍ୟା ଜଳ ମାଡିଯିବା ଫଳରେ ନଷ୍ଟ ହୋଇଛି ଫସଲ । ଧାର କରଜ କରି ଲହୁ ଆଉ ଲୁହ ଦେଇ କରିଥିବା ଫସଲ ସବୁ କିଛି ମାଟିରେ ମିଶିଯାଇଛି । କେବଳ ଯାଜପୁର ବ୍ଲକର ପଣସା ପଂଚାୟତର ନୁହେଁ ଏଭଳି ସମାନ ଦୃଶ୍ୟ ପ୍ରାୟ ସବୁ ବନ୍ୟା ପ୍ରଭାବିତ ଅଂଚଳରେ ଦେଖିବାକୁ ମିଳିଛି । ବାଇଗଣ, ଭେଣ୍ଡି, ଜହ୍ନି, କଲରା, କାକୁଡି ଭଳି ପରିବା ବନ୍ୟା ପାଣିରେ ଉଜୁଡି ଯାଇଛି । ଯେଉଁଠି ଚାଷୀ ବର୍ଷକ ଯାକର ଧାନ ଫସଲ ଅମଳ କରିବା ପାଇଁ ଲକ୍ଷ୍ୟ ରଖିଥିଲା,ସେଠି ଚଳିତ ବର୍ଷ ବିହନ ମିଳିବା କଷ୍ଟକର।

ସେପଟେ ବନ୍ୟା ପ୍ରଭାବିତ ଅଂଚଳରେ କ୍ଷୟକ୍ଷତିର ଆକଳନ ପାଇଁ କୃଷି ବିଭାଗ କୁ ନିର୍ଦେଶ ଦିଆଯାଇଛି ଏବଂ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଯାଜପୁର ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାର ଯାଜପୁର ବ୍ଲକ ସମେତ ଦଶରଥପୁର ,ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ପ୍ରତିବର୍ଷ ବର୍ଷା ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀକୁଳ କିନ୍ତୁ କ୍ଷତିପୂରଣ ମିଳିବା ନେଇ ସମସ୍ୟା ଭୋଗୁଛନ୍ତି। ଏହାର ଏକ ସ୍ଥାୟୀ ପ୍ରତିକାର କରିବାକୁ ଦାବି ହୋଇଛି।

Leave A Reply

Your email address will not be published.