ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧ ଶେଷ ହେବାର କୌଣସି ଆଶା ଦେଖାଯାଉନାହିଁ। ଫଳରେ ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶ୍ୱ ତୈଳ ବଜାରରେ ଅଶୋଧିତ ତୈଳ $୯୨ ଅତିକ୍ରମ କରିଛି। ଇରାନ ଉପରେ ଆର୍ଥିକ ଚାପ ପ୍ରୟୋଗ ପାଇଁ ଆମେରିକାର ନୂଆ ଧମକ ତୈଳ ବଜାରରେ ଅସ୍ଥିରତା ବୃଦ୍ଧି କରିଛି।
ଗତ ଛଅ ମାସ ଧରି ଉପସାଗରୀୟ ଯୁଦ୍ଧ ଯୋଗୁଁ ତୈଳ ଆମଦାନୀ ପାଇଁ ଜୀବନ ରେଖା ବୋଲି ବିବେଚିତ ହର୍ମୁଜ୍ ପ୍ରଣାଳୀ ବନ୍ଦ ହୋଇଯାଇଛି। ଇରାନର ହର୍ମୁଜ୍ ଅବରୋଧ ତୈଳ ଯୋଗାଣକୁ ବାଧା ଦେବା ସହ ଏହାର ମୂଲ୍ୟକୁ ପ୍ରଭାବିତ କରୁଛି। ଗୁରୁବାର ବ୍ରେଣ୍ଟ ତେଲ ମୂଲ୍ୟ ପ୍ରାୟ 40 ସେଣ୍ଟ ବୃଦ୍ଧି ପାଇ ବ୍ୟାରେଲ ପ୍ରତି $୯୨.୦୨ ରେ ପହଞ୍ଚିଛି। WTI ଅଶୋଧିତ ତୈଳ ମୂଲ୍ୟ ୦.୨୫ ସେଣ୍ଟ ବୃଦ୍ଧି ପାଇ ବ୍ୟାରେଲ ପ୍ରତି $୮୪.୬୪ ରେ ପହଞ୍ଚିଛି। ଆଜି ଭାରତୀୟ ଅଶୋଧିତ ତୈଳ ବାସ୍କେଟ ମୂଲ୍ୟ 2.82% ବୃଦ୍ଧି ପାଇ $92.11 ରେ ପହଞ୍ଚିଛି। OPEC ବାସ୍କେଟ ହାର 4.85% ବୃଦ୍ଧି ପାଇ $89.57 ରେ ପହଞ୍ଚିଛି।
ତେବେ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଭାରତର ଆମଦାନୀ ବିଲ୍ ଉପରେ ବୋଝ ଲଦୁଛି। ଭାରତର ଅଶୋଧିତ ଆମଦାନୀ ବିଲ୍ ୫୭% ବୃଦ୍ଧି ପାଇଛି। ଏପ୍ରିଲ୍ ଏବଂ ଜୁନ୍ ମଧ୍ୟରେ ଭାରତର ତୈଳ ଆମଦାନୀ ୬୩.୪ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ଗତ ବର୍ଷ ସମାନ ସମୟରେ ୪୦.୫ ବିଲିୟନ ଡଲାର ଥିଲା। ଭାରତର ସମସ୍ୟା କେବଳ ବର୍ଦ୍ଧିତ ଆମଦାନୀ ବିଲ୍ ନୁହେଁ, ବରଂ ତୈଳ ଯୋଗାଣର ଉପଲବ୍ଧତା ଏକ ପ୍ରମୁଖ ଚ୍ୟାଲେଞ୍ଜ।
ଉପସାଗରୀୟ ଦେଶଗୁଡ଼ିକରୁ ତେଲ କ୍ରୟ ମହଙ୍ଗା ହୋଇଯାଇଛି ଏବଂ ରୁଷୀୟ ତେଲ ଉପରେ ରିହାତି ଶେଷ ହୋଇଛି। ହର୍ମୁଜ୍ ପ୍ରଣାଳୀ ଏବଂ ଲୋହିତ ସାଗରରେ ଉତ୍ତେଜନା ଯୋଗୁଁ ପରିବହନ ଖର୍ଚ୍ଚ ମଧ୍ଯ ବୃଦ୍ଧି ପାଉଛି। ଭାରତକୁ ଆମେରିକା, ଗୁଆନା ଏବଂ ବ୍ରାଜିଲ ଭଳି ଦୂର ଦେଶଗୁଡ଼ିକରୁ ତେଲ ଆମଦାନୀ କରିବାକୁ ପଡୁଛି। ତେବେ ଭାରତ ପ୍ରାୟ ୪୦ରୁ ଅଧିକ ଦେଶରୁ ତେଲ ସଂଗ୍ରହ କରୁଥିବା ଜଣାପଡ଼ିଛି।


Comments are closed.