ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…
ମାଓବାଦ ସମସ୍ୟା ନୁହେଁ । ସଂକଟ ବି ନୁହେଁ । ଏହାର ସର୍ବକାଳୀନ ସମାଧାନ ବି ସମ୍ଭବ । ଯେକୌଣସି ସରକାର ମାଓବାଦ ସମସ୍ୟାକୁ ଆଇନ କାନୁନର ଗଣ୍ଡି ଭିତରେ ଆକଳନ କରି ‘ଯେସାକୁ ତେସା’ ନୀତି ଅବଲମ୍ବନ କଲେ ସଫଳ ହେବା ସମ୍ଭବ ନୁହେଁ । ମାଓବାଦ ଏକ ଅର୍ଥନୈତିକ ସାମାଜିକ ସମସ୍ୟା – ଏହାକୁ ରାଜନୈତିକ ସଂଗ୍ରାମ ମଧ୍ୟରେ ସମାଧାନର ରାସ୍ତା ବାହାର କରିବାକୁ ହେବ ।
ମାଓ ସେତୁଂଙ୍କ ମାର୍କ୍ସବାଦୀ ଆଦର୍ଶରେ ୧୯୬୭ ମସିହାରେ ପଶ୍ଚିମବଙ୍ଗଳାର ନକସଲବାଡି ଗାାଁରୁ ଚାରୁ ମଜୁମ୍ଦାର ଯେଉଁ ମଂଜି ପୋତିଥିଲେ, ଦୀର୍ଘ ୫୪ ବର୍ଷ ଧରି ସେ ମଂଜିରୁ ଗଛ ଫୁଲଫଳ ବିସ୍ତାରିତ ହୋଇ ସାରା ଦେଶରେ କାୟାବିସ୍ତାର କରିବାକୁ ଲାଗିଛି । ସେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟ ନକସଲପନ୍ଥୀଙ୍କୁ ବନ୍ଧୁକମୁନରେ ନିର୍ମମ ଭାବେ ଦମନ କରି ସଫଳ ହୋଇ ପାରିନଥିଲେ । ଆଜି ମଧ୍ୟ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାର ସେଇ ଏକା ପଦ୍ଧତିରେ କାର୍ଯ୍ୟ କରୁଛନ୍ତି । ଏହା ହିଁ ଇତିହାସର ଉଗ୍ର ଉପହାସ !
ମାଓବାଦୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି । ଗରିଲା ରଣକୌଶଳରେ ପାରଙ୍ଗମ । ଏପରିକି ରକେଟ୍ ମାଡ ଦେବା ଯୋଜନାରେ ଅଛନ୍ତି । ଏଥିପାଇଁ ପ୍ରଚୁର ଅର୍ଥ ଓ ଜ୍ଞାନକୌଶଳ ଦେଶବିଦେଶରୁ ଆଣିବାକୁ ମଧ୍ୟ ହୁଏତ ପଛେଇ ନଥିବେ । ଶ୍ରୀଲଙ୍କାରେ ପ୍ରଭାକରନ୍କୁ ସିନା ଶାସକ ମାରିଦେଲେ, ହେଲେ ତାଙ୍କ ବ୍ୟାଘ୍ରବାହିନୀ ଏବେବି ସୁଯୋଗ ଅପେକ୍ଷାରେ । ଏଠି ଭାରତରେ ମାଓବାଦୀମାନଙ୍କର ବହୁ ନେତା ଅଛନ୍ତି, ଜଣେ ଦିଜଣ ନେତା କିମ୍ବା ଶହଶହ ମାଓବାଦୀଙ୍କୁ ସରକାର ହତ୍ୟା କଲେ ଲୋପ ପାଇଯିବନାହିଁ ।
ମନେହେଉଛି, ମାଓବାଦୀକୁ ମୁଖାଟି ପରି ଯେପରି ଗଢାଯାଉଛି । କିଛି ସାଂଘାତିକ ଅଶୁଭଶକ୍ତି ମାଓବାଦୀ ନାଁରେ କୋକୁଆଭୟ ସୃଷ୍ଟି ନକଲେ କେନ୍ଦ୍ରରୁ ହଜାର ହଜାର କୋଟି ଟଙ୍କା ସାହାଯ୍ୟ ଆସିବ ନାହିଁ । ଜନତାକୁ ଭୁଆଁ ବୁଲାଉଥିବା କିଛି ନେତାଙ୍କର ଏ ଅଘଟଣ ସହିତ ସଂପୃକ୍ତିକୁ କ’ଣ ପୂରାପୂରି ଏଡାଇ ଦେଇହେବ? ଖବରକାଗଜ ଫର୍ଦରେ କେବେକେବେ ଏ ବାବଦରେ ପ୍ରକାଶ ପାଇଥିବା ଅତୀତର ତଥ୍ୟାବଳୀ ଏ ସନ୍ଦେହ ଆଣିବା ସ୍ୱାଭାବିକ ।
କିଛି ନକଲି ମାଓବାଦୀ ହତ୍ୟା, ଡକାୟତି, ଲୁଣ୍ଠନ, ପୋଡାଜଳା, ବନ୍ଦ କାର୍ଯ୍ୟରେ ଲିପ୍ତ ରହି ବେଶ୍ ହାତ ଚିକ୍କଣ କରୁଥିବାର ଦେଖାଯାଉଛି । ମିଛ ମାଓବାଦୀ, ମିଛ ମାମଲରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କର ସୀମାହୀନ ମତଲବ ରହିଛି । ଏଇସବୁ ତଥାକଥିତ ନେତୃମଣ୍ଡଳୀ ନାଗରିକ ସମାଜପାଇଁ ଶତ୍ରୁମଣ୍ଡଳୀ ପାଲଟିଯାଇଛନ୍ତି । ମାଓବାଦୀମାନେ କ୍ଷମତା ଦଖଲ ପାଇଁ ପ୍ରାଣବଳୀ ଦେଉଛନ୍ତି । ସରକାରମାନେ କ୍ଷମତାରକ୍ଷା ପାଇଁ ସେନା, ପୁଲିସ, ସାଧାରଣ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି ।
ନକ୍ସଲବାଦର ଉତରଣ ଭାବରେ ମାଓବାଦର ନିର୍ଦ୍ଦିଷ୍ଟ ନୀତି, ଆଦର୍ଶ, ଲକ୍ଷ୍ୟ ରହିଛି । ଭାରତର ପୁଂଜିବାଦ ଶାସନକୁ ମୂଳପୋଛ କରି ଅସଲ ମାଓବାଦୀମାନେ ସମାଜବାଦ ପ୍ରତିଷ୍ଠା କରିବା ରାସ୍ତାରେ ଆଗେଇଛନ୍ତି । ଯେଉଁମାନେ ସମାଜବାଦ ପ୍ରତିଷ୍ଠାପାଇଁ କାର୍ଯ୍ୟ କରିଆସୁଛନ୍ତି, ସେମାନେ କେହି କମ୍ୟୁନିୁଷ୍ଟ ନୁହନ୍ତି ବୋଲି ଏମାନଙ୍କର ବଦ୍ଧ ଧାରଣା । କିଏ ଅସଲି କିଏ ନକଲି କିଏ ଠିକ୍ କି ଭୁଲ କେବଳ ଇତିହାସ ହିଁ କହିବ ।
ବନ୍ଧୁକମୂନରେ କ୍ଷମତା ହାସଲ ଓ କ୍ଷମତା ଭୋଗ କରିବା ତତ୍ୱ ବଦଳିବାରେ ଲାଗିଛି । ସମୟ ଥିଲା – ରୁଷ-ଚୀନରେ ବନ୍ଧୁକମୂନରେ କ୍ଷମତା ହାସଲ, ଲିବ୍ୟାରେ ଏକଛତ୍ରବାଦୀ ଶାସକଙ୍କ ପତନ ଏବଂ ଆମେରିକାର ଗଣତନ୍ତ୍ରରୂପୀ ସ୍ୱରତନ୍ତ୍ର ମଧ୍ୟ ତିଷ୍ଠିବା କଷ୍ଟକର ହୋଇପଡିଛି । ଏକମାତ୍ର ଜନଗଣଙ୍କ ବିନା ସହଯୋଗରେ କେହି ବି କ୍ଷମତା ହାସଲ କରିପାରିବେ ନାହିଁ – ଏହା ବିଭିନ୍ନ କ୍ଷେତ୍ରରେ ପ୍ରମାଣିତ ହେବାରେ ଲାଗିଛି ।
ଆମ ରାଜ୍ୟରେ ଖଣି, ପାଣି, ଜମି, ଜଙ୍ଗଲ, ଡାଲି, କୋଇଲା, ନରେଗା, ଆଉ କେତେ କେତେ ଦୁର୍ନୀତି ଅତ୍ୟାଧୁନିକ । ଏଇ ରାଜକୋଷ ଲୁଟେରାମାନଙ୍କ ଚେର ପାତାଳ ପର୍ଯ୍ୟନ୍ତ ଲମ୍ବିଛି । ଯାହାଫଳରେ ଧନୀ ଓଡିଶାର ଲୋକେ ଗରିବ ହୋଇ ଉତ୍କଟ ଦାରିଦ୍ର୍ୟ, ବେକାରୀ, ଅନାହାର ଆଜି ଜନବିରୋଧୀ କାର୍ଯ୍ୟକୁ ଆଧାରକରି ମାଓବାଦୀ ବିଭିନ୍ନ ଉପାୟରେ ସ୍ୱର ଉତୋଳନ କରୁଛନ୍ତି ।
ମାଓବାଦର ମୂଳକାରଣ ସଂପର୍କରେ ବ୍ୟାପକ ସମୀକ୍ଷା କରାନଯାଇ ମାଓବାଦୀ ଦମନପାଇଁ ୯ଟି ରାଜ୍ୟରେ ହଜାର ହଜାର କୋଟି ଟଙ୍କା ରାଜକୋଷରୁ ବରବାଦ ହେଲାଣି । ପ୍ରତିଦିନ କେଉଁଠି ନା କେଉଁଠି ମାଓବାଦୀ ହମଲାରେ ବିଶେଷ କରି ସେନା-ମାଓବାଦୀ ଯୁଦ୍ଧରେ ଉଭୟପକ୍ଷରୁ ମୃତ୍ୟୁବରଣ କରିବା ସଂଗେସଂଗେ ବହୁ ଧନ ସଂପତି ମଧ୍ୟ ନଷ୍ଟ ହେଉଛି । ଏ ସବୁ ସମ୍ବାଦ ଗଣମାଧ୍ୟମରେ ଦୃଶ୍ୟମାନ ହେଲାବେଳେ ମନେହେଉଛି – ଗଛର ମୂଳ ନ ଉପାଡି ଡାଳପତ୍ର ଛିଡାଇଦେଲେ ପୁଣି ଗଛ କଅଁଳି ଶାଖାପ୍ରଶାଖା ମେଲାଇବା ଅସମ୍ଭବ ନୁହେଁ ।
କିଏ ଏଇ ବିଷବୃକ୍ଷ ? ମାଓବାଦୀମାନେ କହୁଛନ୍ତି –ଏଇ ପଚ୍ଚା ପୂତିଗନ୍ଧମୟ ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରୀ, ଲାଭଖୋର ପୁଂଜିବାଦୀ ସମାଜ ବ୍ୟବସ୍ଥାର ରକ୍ଷକମାନଙ୍କ ମୂଳଉତ୍ପାଟନ । କ୍ଷମତାଧାରୀମାନେ କହୁଛନ୍ତି ମାଓବାଦ ଦେଶର ବଡ ସମସ୍ୟା । ମାଓôାଦୀମାନେ ରାଜନୈତିକ ଚିନ୍ତା ପ୍ରକଟ କରୁଥିଲାବେଳେ କ୍ଷମତାଧାରୀମାନେ ରାଜନୈତିକ ଭାବେ ମାଓବାଦ ସମସ୍ୟା ସମାଧାନ କରିବାକୁ ଏଡେଇଯାଇ ଆଇନ ଶୃଙ୍ଖଳାର ଆଳ ଦେଖାଇ ଦମନନୀତି ଅବଲମ୍ବନ କରୁଛନ୍ତି, ଯାହାଫଳରେ ସମସ୍ୟା ଦିନକୁ ଦିନ ଜଟିଳ ଆକାର ଧାରଣ କରୁଛି ।
ବିଶେଷ ଭାବେ ପଶ୍ଚିମବଂଗ, ଓଡିଶା, ଆନ୍ଧ୍ର, ଛତିଶଗଡ, ଝାଡଖଣ୍ଡ, ବିହାର, ମହାରାଷ୍ଟ୍ର ପ୍ରମୁଖ ରାଜ୍ୟରେ ମାଓବାଦୀ ସଂଗଠନ ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ହରଡଘଣାରେ । ପ୍ରଥମେ ମାଓବାଦୀମାନଙ୍କୁ ପରୋକ୍ଷ ସମର୍ଥନ କରି ଗାଦିନସୀନ ହେବାପରେ ପ୍ରତ୍ୟକ୍ଷ ଭାବେ ମାଓବାଦୀଙ୍କୁ ଦମନ କରିବପାଇଁ କେନ୍ଦ୍ରର ସାହାଯ୍ୟ ଲୋଡୁଛନ୍ତି । ମମତା ଏବେ ବାଘପିଠିରେ । ଯିଏ ବାଘ ପିଠିରେ ବସିବ – ସେ ବାଘକୁ ମାରିବ କିମ୍ବା ବାଘ ତାକୁ ଖାଇବ । ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା ଉଣାଅଧିକେ ମଧ୍ୟ ମମତାଙ୍କ ଭଳି । ଏମାନେ କେହି ମାଓବାଦର ଅର୍ଥନୈତିକ, ସାମାଜିକ ସମସ୍ୟାକୁ ରାଜନୈତିକଭାବେ ସମାଧାନ କରିବାକୁ ଆଦୌ ପାରଙ୍ଗମ ନୁହଁନ୍ତି ।
କେନ୍ଦ୍ର ଓ ରାଜ୍ୟ ସରକାରମାନେ ମାଓବାଦୀଙ୍କୁ ଆତଙ୍କବାଦୀ-ଦେଶଦ୍ରୋହୀ ବୋଲି ପ୍ରଚାର କରାଇ ସୈନ୍ୟବାହିନୀକୁ ଦମନ କରିବା କାର୍ଯ୍ୟରେ ଲଗେଇ ଦେଇଛନ୍ତି । ୟାଡେ ଅଧିକାଂଶ ଦେଶଦ୍ରୋହୀ ଫୁଲମାଳ ପିନ୍ଧି ଦେଶପ୍ରେମର ଭାଷଣ ଦେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଭିତରେ ଦେଶଦ୍ରୋହୀଙ୍କ ସଂଖ୍ୟା ୯୦ ଭାଗ । ଦେଶର ରାଜକୋଷକୁ ଏମାନେ ରାତିଦିନ ଲୁଣ୍ଠନ କରି ଚାଲିଛନ୍ତି । ଏହି ଭୟଙ୍କର ଦେଶଦ୍ରୋହୀ କାର୍ଯ୍ୟକଳାପରେ ସମସ୍ତେ କାନ୍ଦୁଛନ୍ତି, ହେଲେ ପ୍ରତିକାରର ଉପାୟ ପାଉ ନାହାଁନ୍ତି । ଆମେ ସବୁ ଚାହିଁ ଚାହିଁ ଜଳକା ପାଲଟି ଗଲେଣି ।
ସରକାର ପାହାଡ ଉପରକୁ ଟେକା ଫିଙ୍ଗୁଛନ୍ତି – ସେ ପଥର ହୋଇ ଫେରିଆସି ଶାସନକଳ ଉପରେ ପ୍ରଚଣ୍ଡ ଆଘାତ ଦେଇ ଘାଏଲ କରି ପକାଉଛି । ବାସ୍ତବରେ ଦେଶଦ୍ରୋହୀ କେଉଁମାନେ – ମାଓବାଦୀ ନା ରାଜକୋଷ ଲୁଟେରାମାନେ – ଏ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା, ଅନୁସନ୍ଧାନ, ପରୀକ୍ଷା, ନିରୀକ୍ଷା, ନିର୍ଦ୍ଦିଷ୍ଟ ନିର୍ଣ୍ଣୟ, ସତ୍ୟ, ବୈଜ୍ଞାନିକ ସିଦ୍ଧାନ୍ତ ଆବଶ୍ୟକ ।
ଭାରତବର୍ଷର ବିପ୍ଲବର ଇତିହାସରେ ମାଓବାଦୀ ଆନ୍ଦୋଳନ ଗୋଟାଏ ‘କୁହୁଳା ନିଆଁର ନାଁ’- ଯାହା ଆଜି ବି ଛପି ରହିଛି ପାଉଁଶ ତଳେ । ପୁଣି କେବେକେବେ ସେଇ ପାଉଁଶ ତଳର ନିଆଁ ତା’ର ଝୁଲର ଜିହ୍ୱା ବିସ୍ତାର କରି ଆତଙ୍କର ଝଲକ ସୃଷ୍ଟି କରି ଚାଲିଛି ଆମର ସୁପରିଚିତ ସାମାଜିକ ବେଷ୍ଟନୀ ମଧ୍ୟରେ । ଏ ନିଆଁର ନିର୍ବାପନ ସେତେଦିନ ଯାଏ ଅସମ୍ଭବ, ଯେତେଦିନ ଯାଏ ଆମର ଏ ଶୋଷିତ, ବିକୃତ ବିକଳାଙ୍ଗ, ଆତ୍ମବିଭକ୍ତ, ବିଖଣ୍ଡିତ ଓ ଭୋଗବାଦୀ ସମାଜବ୍ୟବସ୍ଥା କାଏମ ରହିଛି ।
ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩
Comments are closed.