Latest Odisha News

BREAKING NEWS

ସପ୍ତାହରେ ଦୁଇଥର ଆମ ବସରେ ଯାତ୍ରା କରିବେ କ୍ରୁଟ୍ ଅଧିକାରୀ

୧୦ ଏବଂ ୧୩ ରୁଟ୍‌ରେ ଆଜି କ୍ରୁଟ୍ ଏମ୍‌ଡ଼ି ଓ ଅନ୍ୟାନ୍ୟ ଅଧିକାରୀଙ୍କ ଯାତ୍ରା

ଭୁବନେଶ୍ୱର: ଆମ ବସ୍ ସେବାରେ ସାଧାରଣ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତା ବୃଦ୍ଧି ନେଇ କ୍ରୁଟ୍ ପକ୍ଷରୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍ ଥିରୁମାଲା ନାଏକ କ୍ରୁଟ୍‌ର ସମସ୍ତ ସଦସ୍ୟମାନଙ୍କୁ ସପ୍ତାହରେ ଅନ୍ତତଃ ଦୁଇଥର ଆମବସ୍‌ରେ ଯାତ୍ରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବସ୍‌ରେ ଯାତ୍ରା କରି ବିସୃତ ଅନ୍‌ଲାଇନ୍ ଫର୍ମ ମାଧ୍ୟମରେ ଆମ ବସର ପ୍ରତ୍ୟେକ ସେବା ଉପରେ ମତାମତ ସଂଗ୍ରହ ହେବ। ମତାମତକୁ ଆଧାର କରି ଯଥାସମ୍ଭବ ସେବାର ଉନ୍ନତୀକରଣ ପାଇଁ କାର୍ଯ୍ୟ କରାଯିବ। ଡକ୍ଟର ଏନ୍ ଥିରୁମାଲା ନାଏକ ଆଜି ନିଜେ କ୍ରୁଟ୍‌ର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ରୁଟ୍ ବସରେ କ୍ରୁଟ୍ କାର୍ଯ୍ୟାଳୟରୁ ବାହାରି ୧୦ ନମ୍ବର ରୁଟ୍‌ରେ କିଟ୍ ଛକରୁ ଇନ୍‌ଫୋସିଟି ଏବଂ ୧୩ ନମ୍ବର ରୁଟ୍‌ରେ ଟ୍ରାଇଡ଼େଣ୍ଟ ମହାବିଦ୍ୟାଳୟରୁ କେଶରୀ ଟକିଜ୍ ଯାଏଁ ଯାତ୍ରା କରି ପ୍ରକୃତ ଅବସ୍ଥା ପରଖିଛନ୍ତି। ନିଜେ ଟିକେଟ୍ କାଟି ଆମବସ୍‌ରେ ସାଧାରଣ ଯାତ୍ରୀଙ୍କ ଭଳି ଯାତ୍ରା ଅନୁଭୂତି ନେଇଛନ୍ତି।

ସେଭଳି ଅନେକ ଯାତ୍ରୀଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଯାତ୍ରା ଅଭିଜ୍ଞତା ବିଷୟରେ ସିଧାସଳଖ ମତାମତ ସଂଗ୍ରହ କରିଛନ୍ତି। ପ୍ରଶାସନିକ ସ୍ତରରେ ନିର୍ଣ୍ଣୟ ହେଉଥିବା ଯୋଜନା ଏବଂ ଗ୍ରାଉଣ୍ଡ୍ ସ୍ତରରେ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ଏବଂ ସମସ୍ତ ବର୍ଗର ଯାତ୍ରୀମାନଙ୍କ ପାଇଁ ଆମ ବସ୍ ସେବାକୁ ଅଧିକ ସୁଗମ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

ସେଭଳି ଅଚାନକ ଯାଞ୍ଚରେ କ୍ରୁଟ୍ ମହା ପ୍ରବନ୍ଧକ (ଓ ଆଣ୍ଡ୍ ଏମ୍‌) ସଞ୍ଜୟ ବିଶ୍ୱାଳ କଟକ ସିଡ଼ିଏ ୯ରୁ ଭୁବନେଶ୍ୱର କଳାରାହାଙ୍ଗ ପର୍ଯ୍ୟନ୍ତ ବସ୍‌ରେ ଯାତ୍ରା କରି ସେବାର ଅବସ୍ଥା ମୂଲ୍ୟାଙ୍କନ କରିଥିଲେ। ଏହି ପଦକ୍ଷେପ ମାଧ୍ୟମରେ ପ୍ରତ୍ୟେକଟି ମତାମତକୁ ଗୁରୁତର ସହିତ ଗ୍ରହଣ କରି ଏହାକୁ ମୂଲ୍ୟାଙ୍କନ କରାଯିବ। ଆମ ବସ୍ ସେବାରେ ରୁଟ୍ ସମ୍ପର୍କିତ ମତାମତ, ଗୋଟିଏ ବସ୍ ପରେ ଅନ୍ୟ ବସ୍‌ର ସମୟ, ଆମବସ୍ ଆପ୍ଲିକେସନ୍‌, ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନ କୈାଶଳର ବୃଦ୍ଧି ଭଳି ସାମଗ୍ରକି ସେବାର ଉନ୍ନତି ଦିଗରେ ମତାମତ ସଂଗ୍ରହ ହେବ।

ଯାତ୍ରୀ ଅନୁଭୂତି ପାଇଁ ଆମବସ୍ ମୋବାଇଲ୍ ଆପ୍ଲିକେସନ୍‌ରେ ମଧ୍ୟ ଏକ ମତାମତ ଫର୍ମ ଯୋଡ଼ାହେବ। ଯେଉଁଥିରେ ନିୟମିତ ଭାବେ ବିଭିନ୍ନ ମତାମତକୁ ନେଇ ଆମ ବସ୍ ସେବାକୁ ଉନ୍ନତ କରିବାରେ ସହାୟକ ହେବ।

 

Comments are closed.