Latest Odisha News

BREAKING NEWS

ଆଇପିଏଲ ନିଲାମ: ଓଡିଶାର ଶୁଭ୍ରାଂଶୁଙ୍କ ୨୦ ଲକ୍ଷରେ କିଣିଲା ଚେନ୍ନାଇ

ଭୁବନେଶ୍ୱର: ଓଡିଶାର ଶୁଭ୍ରାଂଶୁ ସେନାପତିଙ୍କୁ ଚଳିତ ଆଇପିଏଲ ମେଗା ନିଲାମରେ ଚେନ୍ନାଇ ସୁପର କିଙ୍ଗସ ୨୦ ଲକ୍ଷରେ କ୍ରୟ କରିଛି । ନିକଟରେ ଶୁଭ୍ରାଂଶୁ ବିଜୟ ହଜାରେ ଟ୍ରଫିରେ ଓଡିଶାର ନେତୃତ୍ୱ ନେଇଥିଲେ । ସେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଆକର୍ଷଣୀୟ ଶତକ ହାସଲ କରିଥିଲେ । ଡିସେମ୍ବରରେ ତାଙ୍କୁ ଚେନ୍ନାଇ ଟ୍ରାଏଲ ପାଇଁ ଡକାଇଥିଲା । ଲକ୍ଷ୍ମୀପତି ବାଲାଜୀ, ଅରୁଣ କାର୍ତିକ ଓ ଅମ୍ବାତି ରାୟୁଡୁ ଟ୍ରାଏଲରେ କେନ୍ଦୁଝରର ଉଦୀୟମାନ କ୍ରିକେଟର ଶୁଭ୍ରାଂଶୁଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇଥିଲେ । ୨୦୨୧ରେ ତାଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯାଇଥିଲେ ମଧ୍ୟ କେହି କିଣି ନ ଥିଲେ । ତୃତୀୟ ଓଡିଆ ଭାବେ ସେ ଆଇପିଏଲ ଖେଳିବା ପାଇଁ ସୁଯୋଗ ପାଇଛନ୍ତି ।

ଶୁଭ୍ରାଂଶୁଙ୍କ ପୂର୍ବରୁ ହଳଧର ଦାସ ଓ ବିପ୍ଲବ ସାମନ୍ତରାୟ ଆଇପିଏଲରେ ଖେଳି ସାରିଛନ୍ତି । ହଳଧର ଡେକାନ ଚାର୍ଜର୍ସ ପକ୍ଷରୁ ଗୋଟିଏ ମ୍ୟାଚ ଖେଳିଥିବା ବେଳେ ବିପ୍ଲବ ଡେକାନ ଏବଂ ସନରାଇଜର୍ସ ପକ୍ଷରୁ ୯ ମ୍ୟାଚରେ ଖେଳିଛନ୍ତି । ଅନ୍ୟ ଓଡିଆଙ୍କ ମଧ୍ୟରେ ପ୍ରଜ୍ଞାନ ଓଝା (ଡେକାନ ଚାର୍ଜର୍ସ, ମୁମ୍ବାଇ ଇଣ୍ଡିଆନ୍ସ) ଓ ଅଭିଷେକ ରାଉତ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ ମଧ୍ୟ ସେ ସମୟରେ ସେମାନେ ଓଡିଶା ଟିମ ପକ୍ଷରୁ ପ୍ରତିନିଧିତ୍ୱ କରୁ ନ ଥିଲେ । ପ୍ରଥମଶ୍ରେଣୀ କ୍ରିକେଟରେ ଶୁଭ୍ରାଂଶୁ ୩୪ ମ୍ୟାଚରେ ୧୮୫୪ ରନ ସଂଗ୍ରହ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଟ୍ରାଏଲରେ ସେ ଯୋଗଦେବା ପାଇଁ ଚୂଡାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ଏହାକୁ ବାତିଲ କରି ଦିଆ ଯାଇଥିଲା ।

Comments are closed, but trackbacks and pingbacks are open.