Latest Odisha News

BREAKING NEWS

ଦୁଇ ବର୍ଷ ବନ୍ଦ ରହିବା ପରେ ପୁଣିଥରେ ଆରମ୍ଭ ହେବ ସିଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଦୁଇ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବ ସିଟି ପାଇଁ ପ୍ରବେଶିକା ପରୀକ୍ଷା। ୨୦୨୩-୨୪ ଶିକ୍ଷାବର୍ଷରେ ଡିପ୍ଲେମା ଇନ୍‌ ଏଲିମେଣ୍ଟାରି ଏଜୁକେସନ (ଡିଇଏଲ୍‌ଇଡି) ତଥା ସିଟି ପାଠ୍ୟକ୍ରମରେ ନାମଲେଖା ହେବ। ଗତ ଦୁଇ ବର୍ଷ ବନ୍ଦ ରହିବା ପରେ ଏବେ ପୁଣିଥରେ ରାଜ୍ୟ ସରକାର ସିଟି ନାମାଲେଖା ପାଇଁ ପରୀକ୍ଷା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ପରୀକ୍ଷା ପରିଚାଳନା ପାଇଁ ସଂସ୍ଥା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି।

BjdElectrycity

ଯେଉଁ ଆଗ୍ରହୀ ସଂସ୍ଥାମାନେ ପରୀକ୍ଷା ପରିଚାଳନାର ଦାୟିତ୍ୱ ନେବାକୁ ଇଚ୍ଛକୁ ସେମାନେ ମାର୍ଚ୍ଚ ୨୨ ମଧ୍ୟରେ ଟେଣ୍ଡର ଆବେଦନ କରିବାକୁ କୁହାଯାଇଛି। ନିର୍ଦ୍ଧାରିତ ସମୟରେ କିଭଳି ସିଟି ନାମଲେଖା ଆରମ୍ଭ ହେବ ସେ ନେଇ ପରୀକ୍ଷ କେନ୍ଦ୍ର ପରିଚାଳନା, ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷାର୍ଥୀ ପଞ୍ଜିକରଣ ଆଦି ବ୍ୟବସ୍ଥା ସୂଚାରୁରୁପେ ସମାପନ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର।

ସୂଚନା ଅନୁସାରେ, ଚଳିତ ଥର ପାଖାପାଖି ୧ ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀ ସିଟି ପାଇଁ ଏଣ୍ଟ୍ରାନ୍ସ ଦେଇପାରନ୍ତି ବୋଲି ସରକାର ଅନୁମାନ କରୁଥିବା ବେଳେ ଏଥିପାଇଁ ରାଜ୍ୟର ୩୦ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହେବ। ଛାତ୍ରଛାତ୍ରୀ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବେ। ଏଥିପାଇଁ ଇଂରାଜୀ, ଓଡ଼ିଆ, ହିନ୍ଦୀ, ତେଲଗୁ, ଉର୍ଦ୍ଦୁ ଓ ସାନ୍ତାଳି ଭାଷାରେ ପ୍ରଶ୍ନପତ୍ର ବ୍ୟାଙ୍କ ପ୍ରସ୍ତୁତ କରାଯିବ। ତେବେ ମାତ୍ର ଇଂରାଜୀ ଓ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର କରିବାକୁ ଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିଛି।

ପରୀକ୍ଷା ପୂର୍ବରୁ ମକ୍‌ ଟେଷ୍ଟ, ଏମିତି ହେବ ପରୀକ୍ଷା।

ସିଟି ପ୍ରବେଶିକା ପରୀକ୍ଷା ପାଇଁ ଟିଇ ଆଣ୍ଡ ଏସ୍‌ସିଇଆରଟି ପକ୍ଷରୁ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ, ପିଲାଙ୍କୁ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍‌ କରିବା, ଅନ୍‌ଲାଇନ୍‌ ଆଡମିଟ୍‌ କାର୍ଡ ଉପଲବ୍ଧ କରାଇବା ଆଦି ବ୍ୟବସ୍ଥା ହେବ। ତା ସହିତ ପରୀକ୍ଷାର୍ଥୀଙ୍କ ମୋବାଇଲ୍‌ ନମ୍ବର ଓ ଇ-ମେଲ୍‌ ପ୍ରଦାନ କରାଯିବ। ସେହିପରି ଛାତ୍ରଛାତ୍ରୀମାନେ ଯେପରି ପରୀକ୍ଷାରେ ସମସ୍ୟାରେ ନ ପଡ଼ିବେ ଏଥିପାଇଁ ୧୫ ଦିନ ପୂର୍ବରୁ ସେମାନଙ୍କର ମକ୍‌ଟେଷ୍ଟ କରାଯିବା। ଏଥିପାଇଁ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ପିଲାମାନଙ୍କୁ ଲିଙ୍କ୍ ଦେଇ ମକ୍‌ଟେଷ୍ଟ କରାଇବେ।

ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପରୀକ୍ଷାର୍ଥୀଙ୍କୁ ମୋଟ ୯୦ଟି ପ୍ରଶ୍ନ ଦିଆଯିବାକୁ ଥିବା ବେଳେ ଏଥପାଇଁ ମାତ୍ର ୯୦ ମିନିଟ୍ ସମୟ ଦିଆଯିବ। ଏହି ସମୟ ଭିତରେ ପରୀକ୍ଷାର୍ଥୀ ଉତ୍ତର ଦେବାକୁ ହେବ। ତେବେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ପାଇଁ ସମୟ ଅବଧି ଟିକେ କୋହଳ କରାଯାଇଛି। ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ପାଇଁ ଅଧିକ ୨୦ ମିନିଟ୍‌ ସମୟ ଦିଆଯିବ ବୋଲି ଶିକ୍ଷା ବିଭାଗ କହିଛି। ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ସିବିଟି ବିଷୟରେ ସଚେତନ କରାଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.