Latest Odisha News

ପାର୍ଶଲରେ ଆସିଲା କଟା ମଣିଷ; ଅବାକ୍ ପରିବାର ଲୋକେ

ନୂଆଦିଲ୍ଲୀ: ଘରକୁ ଆସିଲା ପାର୍ଶଲ । ପାର୍ଶଲ ଖୋଲିବା ବେଳେ ପରିବାର ଲୋକେ ଯାହା ଦେଖିଲେ ଆପଣ ବି ଶୁଣିଲେ ତାଜୁବ ହୋଇଯିବେ। ପାର୍ଶଲରେ ରହିଥିଲା କଟା ମଣିଷ । ଏପରି ଅଜବ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ପଶ୍ଚିମଗୋଦାବରି ଜିଲ୍ଲାରେ । ଜଣେ ମହିଳାଙ୍କୁ ପାର୍ଶଲରେ ମିଳିଛି ମଣିଷର ଦେହାବଶେଷ। ଶୁକ୍ରବାର ମହିଳାଙ୍କ ଘରକୁ ଏକ ପାର୍ଶଲ ଆସି ପହଞ୍ଚିଥିଲା। ପାର୍ଶଲରେ ବୈଦ୍ୟୁତିକ ଉପକରଣ ଥିବା ଭାବି ମହିଳା ଜଣଙ୍କ ଉକ୍ତ ପାର୍ଶଲ ଖୋଲିଥିଲେ। ତେବେ ପାର୍ଶଲରେ ବୈଦ୍ୟୁତିକ ଉପକରଣ ପରିବର୍ତ୍ତେ କଟାମଣିଷ ଥିବା ଦେଖିବାକୁ ପାଇଥିଲେ।

ସୂଚନା ଅନୁସାରେ, ତୁଲାସୀ ନାମକ ଜଣେ ମହିଳାଙ୍କ ଘରକୁ ସେବା ସମିତି ନାମକ ଏକ ଏନଜିଓ ସଂସ୍ଥାରୁ ବିଭିନ୍ନ ସମୟରେ ଘରୋଇ ସାମଗ୍ରୀ ଆସୁଥିଲା। ଏହି ସଂଗଠନ ପୂର୍ବରୁ ଉକ୍ତ ମହିଳାଙ୍କୁ ଆର୍ଥିକ ସହାୟତା ଦେବା ସହ ତାଙ୍କ ଗୃହ ନିର୍ମାଣ ପାଇଁ ଟାଇଲ୍ ମଧ୍ୟ ଯୋଗାଇ ଦେଇଥିଲା। ତେବେ ତାଙ୍କ ଘରେ ଶୁକ୍ରବାର ଅନ୍ୟ ଏକ ପାର୍ଶଲ ଆସିଥିଲା। ମହିଳା ଜଣଙ୍କ ଭାବିଥିଲେ ପୁଣିଥରେ ସେହି ସଂଗଠନରୁ ବୈଦ୍ୟୁତିକ ସାମଗ୍ରୀ ଆସିଥିବ। ହେଲେ ଏହି ପାର୍ଶଲ ଖୋଲିବା ପରେ ଦେଖିଥିଲେ ଏକ ମୃତ କଟା ମଣିଷ ରହିଛି । କେବଳ ଏତିକି ନୁହେଁ କଟାମଣିଷ ସହ ୧.୩ କୋଟି ଟଙ୍କା ମାଗିଥିବା ଏକ ଧମକପୂର୍ଣ୍ଣ ଚିଠି ରହିଥିଲା। ଏମିତିକି ସେଥିରେ ଲେଖାଥିଲା ଯେ ଯଦି ଦାବି ମୁତାବକ ଆର୍ଥିକ ରାଶି ପ୍ରଦାନ କରାନଯାଏ ତେବେ ପରିଣାମ ଭୟଙ୍କର ହେବ ।

ଏହି ଅଜଣା ପାର୍ଶଲ ଖୋଲିବା ପରେ ତୁଳସୀ ଓ ତାଙ୍କ ପରିବାର ଭୟଭୀତ ହୋଇଯାଇଥିଲେ। ପରେ ସେମାନେ ପୋଲିସକୁ ଫୋନକରି ସବୁ କଥା ଜଣେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାର୍ଶଲକୁ ଯାଞ୍ଚ କରିଥିଲା। ପାର୍ଶଲରେ ରହିଥିବା ଦେହାବଶେଷ ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କର ବୋଲି ପୋଲିସ ସ୍ପଷ୍ଟ କରିଥିଲା। ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ପ୍ରାୟ ପାଞ୍ଚ ଦିନ ପୂର୍ବରୁ ହୋଇଥିଲା ବୋଲି ଜଣାପଡିଛି। ପୋଲିସ ଏହାକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

Leave A Reply

Your email address will not be published.