Latest Odisha News

‘୧୨ରୁ ୧ଟା ଭିତରେ ସାର ହୋଲି ଖେଳ’, କହିଦେଲେ ଡିସିପି..

କଟକ: ଆଜି ଦୋଳ ପୂର୍ଣ୍ଣିମା । ଏବେଠୁ ଚାରିଆଡେ ଉଡିଲାଣି ଫଗୁ । ରାତି ପାହିଲେ ହୋଲି ମହୋତ୍ସବ । ଏଥିପାଇଁ ରାଜ୍ୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏବେ ସଜାଗ ରହିଛି ପୋଲିସ୍ ବାହିନୀ । ଯେଉଁଭଳି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ, ତାହା ଉପରେ ନଜର ରଖିବା ପାଇଁ ଠାବେ ଠାବେ ଜଗିବେ ପୋଲିସ୍ । ଏଥିପାଇଁ ଦିନ ୧୨ଟାରୁ ଗୋଟାଏ ଭିତରେ ହୋଲି ଖେଳ ସାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ଏନେଇ ଡିସିପି କହିଛନ୍ତି, ହୋଲି ପାଇଁ କଟକ ସହରରେ ୨୨ ପ୍ଲାଟୁନ୍ ପୋଲିସ୍ ମୁତୟନ ହେବେ । ଯେଉଁମାନେ ମଦ ପିଇ ହୋଲି ଖେଳିବେ, ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ହୋଲିରେ ମଦ ଦୋକାନ ବନ୍ଦ ରହିବ, ଯଦି କେହି ବେଆଇନ୍ ଭାବେ ବିକିଲେ, ତାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହିତ ହୋଲି ପରେ ନଦୀ ତୁଠରେ ନ ଗାଧୋଇ ଘରେ ଗାଧୋଇବାକୁ ପରାମର୍ଶ ଦେଇଛନ୍ତି ଡିସିପି ।

ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ହୋଲି ପୂର୍ବରୁ ପୋଲିସ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି । ରଙ୍ଗ ଲଗାଇ ନିଶାରେ ଉତ୍ପାତ ହେଲେ ବନ୍ଧାହେବେ । ମଦ ପିଇ ରୋମିଓ ବନିଲେ ମଧ୍ୟ ସାବାଡ଼ କରିବ ପୋଲିସ୍ । ହୋଲିରେ ଅମାନିଆଙ୍କୁ ଚେତାବନୀ ଦେଇ କିଛି ଏପରି କହିଛନ୍ତି, ଭୁବନେଶ୍ୱର ଡିସିପି ଜଗମୋହନ ମୀନା । ହୋଲି ପାଇଁ ରାଜଧାନୀ ଭୁବନେଶ୍ବରର ସୁରକ୍ଷାକୁ କଡ଼ାକଡି କରାଯାଇଛି। ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ  ମୁତୟନ ହେବେ । ଆଇନଶୃଙ୍ଖଳା ଓ ମଦୁଆଙ୍କୁ ଜଗିବେ ୨୦ ପ୍ଲାଟୁନ ଫୋର୍ସ । ନକଲି ମଦ କାରବାର ରୋକିବାକୁ ସ୍ପେଶାଲ ଡ୍ରାଇଭ ହେବ । ନିଶା ବିକ୍ରିର ପ୍ରମାଣ ମିଳିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଥି ସହିତ ହୋଲିରେ ପାଣିରେ ବୁଡି ଦୁର୍ଘଟଣା ଘଟିବାର ଆଶଙ୍କା ଥିବାରୁ ଓଡ୍ରାଫ ଓ ଅଗ୍ନିଶମ ଟିମ ସହ ଆଲର୍ଟ ରହିବ କମିଶନରେଟ ପୁଲିସ। ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ। ଡ୍ରଙ୍କ ଆଣ୍ଡ ଡ୍ରାଇଭ ଉପରେ ରହିବ କଡା ନଜର । ପ୍ରତ୍ୟେକ ଛକରେ ମୁତୟନ ହେବେ ପୋଲିସ୍ ଟିମ । ରାସ୍ତା ଉପରେ ହୋଲି ଖେଳି ଗହଳି କଲେ ପିସିଆର ଉଠାଇନେବ । ହୋଲି ପୂର୍ବରୁ ରାଜଧାନୀ ଉପକଣ୍ଠ ବିଭିନ୍ନ ଗ୍ରାମରେ ଦୋଳମେଳନ ଥିବାରୁ ଆଲର୍ଟ ରହିବାକୁ ସମସ୍ତ ଥାନାଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିସିପି ।

Comments are closed.