Latest Odisha News

ପ୍ରଫେସରଙ୍କ ନିଆରା ଦୁର୍ଗାପୂଜା; ମୂର୍ତ୍ତି ଗଢି ନିଜେ କରନ୍ତି ପୂଜା

କଟକ: ଭକ୍ତ ପାଇଁ ଭକ୍ତିଭାବନା ପରିପ୍ରକାଶ କରିବାର ଅନେକ ମାଧ୍ୟମ ରହିଛି । କୁହାଯାଏ, ଜଣେ ଭକ୍ତ ସତ୍ ମନରେ ଭଗବାନଙ୍କୁ ଯେଉଁଠି ବି ରହି ଡାକିଲେ ଦର୍ଶନ ମିଳିପାରିବ।

ସେହିଭଳି ଜଣେ ଭକ୍ତ ହେଉଛନ୍ତି କଟକର ବାସିନ୍ଦ ଅଂଶୁମାନ ମିଶ୍ର । ଯିଏକି ବିଗତ ୧୦ ବର୍ଷ ହେବ, ନିଜ ହାତରେ ଜଗତଜନନୀଙ୍କର ମୂର୍ତ୍ତି ନିର୍ମାଣ କରିବା ସହ ମା’ଙ୍କ ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଂଶୁମାନ ପ୍ରାୟ ୩ ଫୁଟ୍ ଉଚ୍ଚତା ବିଶିଷ୍ଟ ଦେବୀ ଦୁର୍ଗାଙ୍କର ମୂର୍ତ୍ତି ନିର୍ମାଣ କରିଛନ୍ତି । ବିଶେଷତଃ ସେ ପୂର୍ବରୁ କାଗଜରେ ମା’ଙ୍କର ମୂର୍ତ୍ତି ସହ ମେଢ ତିଆରି କରୁଥିବା ବେଳେ ଏଥର ମାଟିରେ ଅତି ସୁନ୍ଦର ଭାବେ ମହାମାୟାଙ୍କ ମୂର୍ତ୍ତି ଗଢିଛନ୍ତି ।

ଏହାବ୍ୟତିତ ଏହି ମୂର୍ତ୍ତି ନିର୍ମାଣ ଲାଗି ତାଙ୍କୁ ପ୍ରାୟ ୧୫ ଦିନ ସମୟ ଲାଗିଥିବା ନେଇ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

କଟକର ଅରୁଣୋଦୟ ନଗରରେ ରହୁଥିବା ଶ୍ରୀ ମିଶ୍ର ସ୍ଥାନୀୟ ପିଲୁ ମୋଦି କଲେଜ ଅଫ୍ ଆର୍କିଟେକଚରରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି । ପିଲାଦିନେ ଚିତ୍ର ଆଙ୍କିବା ଓ ଛୋଟଛୋଟ କଳାକୃତି ସ୍ଥାପନା କରିବା ଏକଦା ତାଙ୍କର ସଉକ ରହିଥିଲା, ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ମୂର୍ତ୍ତି ଗଠିବା ଲାଗି ପ୍ରେତ୍ସାହିତ କରିଥିଲା ।

ମୂର୍ତ୍ତି ଗଢିବା ସମ୍ପର୍କରେ ଶ୍ରୀ ମିଶ୍ର ନିଜ ଭାବାବେଗକୁ ପ୍ରକାଶ କରି କହିଛନ୍ତି, ମୋତେ ପିଲାବେଳୁ ଚିତ୍ର ଆଙ୍କିବା ବହୁତ ପସନ୍ଦ ଥିଲା କିନ୍ତୁ ପାଠ ପଢାପଢି ଯୋଗୁଁ ମୁଁ ଏଥିରେ ସମୟ ଦେଇପାରୁନଥିଲି । କିନ୍ତୁ ପରେପରେ କାଗଜ ମାଧ୍ୟମରେ ଦେବୀ ମା’ଙ୍କ ମୂର୍ତ୍ତି ତିଆରି କରିବା ଲାଗି ନିଷ୍ପତ୍ତି ନେଇଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ କିଛି ଅଲଗା କରିବା ଲାଗି ଚେଷ୍ଟା କରି ମାଟିରେ ମା’ଙ୍କ ମୂର୍ତ୍ତି ଗଢିଛି ।

ଆହୁରି ମଧ୍ୟ ପୂଜା ଲାଗି ମୁଁ କୌଣସି ପୂଜକଙ୍କୁ ନଡାକି ନିଜେ ହିଁ ମାତାଙ୍କ ପୂଜାର୍ଚ୍ଚନା କରିଥାଏ । ଏପରିକି ନବମୀରେ ଦେବୀଙ୍କ ନିକଟରେ ଖେଚୁଡି ଭୋଗ ଲଗାଇବା ସହ ମୂର୍ତ୍ତି ବିସର୍ଜନ ମଧ୍ୟ କରିଥାଏ ।

ତେବେ ଏହି ମୂର୍ତ୍ତି ଗଢିବା ଲାଗି ପ୍ରେରଣା କେଉଁଠୁ ମିଳିଲା, ସେ ପ୍ରଶ୍ନର ଉତ୍ତରରେ ଶ୍ରୀ ମିଶ୍ର କହିଛନ୍ତି ଯେ ଦେବୀ ମା’ଙ୍କ ପ୍ରତି ମୋର ସମର୍ପଣ ଓ ଭକ୍ତିଭାବ ହିଁ ଏହାର ମୂଳ କାରଣ ।

ଏହାବ୍ୟତିତ କାଗଜ ଓ ମାଟି ଇକୋ-ଫ୍ରେଣ୍ଡଲି ହୋଇଥିବା ଯୋଗୁଁ ଏଥିରେ ପରିବେଶ ପ୍ରଦୂଷଣ ହୋଇନଥାଏ । ଆହୁରି ମଧ୍ୟ ପିଲାମାନଙ୍କୁ କାଗଜ ଓ ମାଟିରେ ମୂର୍ତ୍ତି ନିର୍ମାଣ କରିବାର ଶିକ୍ଷା ଦେବା ମୋର ଉଦ୍ଦେଶ୍ୟ ଅଟେ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.