ଭୁବନେଶ୍ୱର: ସୋସିଆଲ ମିଡିଆରେ ଭାଇରାଲ ହେଉଛି କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଇଂରାଜୀ ଭାଷଣ। ଗତକାଲି ଅନୁଷ୍ଠିତ କଟକ ବାଲିଯାତ୍ରା ମହୋତ୍ସବର ଉଦଘାଟନୀ ସମାରୋହରେ କଟକ ସଦର ବିଧାୟକ ଇଂରାଜୀରେ ଭାଷଣ ଦେଇଥିଲେ। ଯାହା ଆଜି ସୋସିଆଲ୍ ମିଡିଆରେ ପ୍ରବଳ ଭାଇରାଲ୍ ହେଉଛି। ଏହି ଭାଷଣଟିକୁ ଶୁଣୁଥିବା ଜ୍ଞାନୀ, ମାନୀ ଲୋକ ଲାଜରେ କାନମୁଣ୍ଡା ଆଉଁଷି ପକଉଛନ୍ତି। କାରଣ ବିଧାୟକ ତାଙ୍କ ଭାଷଣର କ’ଣ କହୁଛନ୍ତି କେହି ବୁଝିପାରୁନାହାଁନ୍ତି ।
୧୪ ରାଷ୍ଟ୍ରର ପ୍ରତିନିଧିଙ୍କ ଗହଣରେ ଓଡିଆ ଅସ୍ମିତାର ପ୍ରତୀକ କଟକ ବାଲିଯାତ୍ରା ଭଳି ଐତିହାସିକ ସମାରୋହରେ ବିଧାୟକଙ୍କ ବିକୃତ ଇଂରାଜୀ ଭାଷଣ ଏବେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। କଟକ ବାଲିଯାତ୍ରା ମହୋତ୍ସବର ଉଦଘାଟନୀ ସମାରୋହରେ ୧୪ ରାଷ୍ଟ୍ରର ପ୍ରତିନିଧିଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ। ଅତିଥିମାନେ ଜଣଙ୍କ ପରେ ଜଣେ ଭାଷଣ ଦେଇଥିଲେ। ପାଳି ପଡ଼ିଥିଲା କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କର। ବିଜେପି ଟିକେଟରେ ପ୍ରଥମ ଥର ନିର୍ବାଚିତ ହୋଇଥିବା ବାବୁ ଏଭଳି ମଞ୍ଚରେ ଭାଷଣ ଦେବାର ସୁଯୋଗ ପାଇ ସତେ ଯେମିତି ଆତ୍ମହରା ହୋଇଯାଇଥିଲେ।
ବିଧାୟକ ଏକଦମ ନିର୍ଭୟରେ ଇଂରାଜୀରେ ଭାଷଣ ଦେବାକୁ ପ୍ରସ୍ତୁତ ହୋଇ ଆସିଥିଲେ। ଆଉ ଡାଏସ୍ ରେ ଛିଡ଼ା ହୋଇ ଆରମ୍ଭ କରିଦେଲେ ଅନର୍ଗଳ ଇଂରାଜୀ ଭାଷଣ। ଅନେବୁଲ୍ ଚିଫ୍ ମିନିଷ୍ଟର୍ ଏବଂ ଅନେବୁଲ୍ ଡେପୁଟି ସିଏମ୍ରୁ ଆରମ୍ଭ କରିଥିଲେ ଭାଷଣ। ଆଉ ବିଧାୟକଙ୍କ ମୁହଁରୁ ବାହାରିଲା ଏମିତି ଅନର୍ଗଳ ଇଂରାଜୀ ଭାଷଣ। କିନ୍ତୁ ଇଂରାଜୀ ଭାଷଣର ନଥିଲା ବାପାମାଆ। ତାଙ୍କ ଭାଷଣ ଶୁଣି ସଭାମଞ୍ଚରେ ଉପସ୍ଥିତ ଅତିଥିମାନେ ପରଷ୍ପରର ମୁହଁକୁ ଚାହୁଁଥିଲେ। ବିଧାୟକ କ’ଣ କହୁଛନ୍ତି କେହି ବୁଝିପାରୁ ନଥିଲେ। ଲୋକହସାରୁ ରକ୍ଷା ପାଇବା ନିମନ୍ତେ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ ବିଧାୟକଙ୍କ ପାଖକୁ ଆସି ଭାଷଣ ଶେଷ କରିବାକୁ ଅନୁରୋଧ କରିଥିଲେ। ମାତ୍ର ଫୁଲ୍ ଜୋସ୍ରେ ଇଂରାଜୀ ଭାଷଣ ଦେଉଥିବା ବିଧାୟକ ଅଧାରୁ ରଖିବାକୁ ପ୍ରସ୍ତୁତ ନଥିଲେ।
କିଛି ସମୟ ପରେ ତାଙ୍କର ଭାଷଣ ବନ୍ଦ କରିଥିଲେ। ଇଂରାଜୀରେ ଲମ୍ବା ସମୟ ଭାଷଣ ଦେଇଥିବାରୁ ବିଧାୟକ ଖୁସିରେ ଗଦ୍ ଗଦ୍ ହେଉଥିଲେ। ସେହି ସମୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା ବିଧାୟକ ଜଣେ ଉଚ୍ଚଶିକ୍ଷିତ। ରେଭେନସା କଲେଜରେ ପାଠ ପଢ଼ିଛନ୍ତି। ସଫ୍ଟୱେୟର ଇଂଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ମାତ୍ର ଇଂରାଜୀ ଜ୍ଞାନରେ ସେ ଏତେ ଦୁର୍ବଳ କାହିଁକି ? ତେବେ ବିଧାୟକଙ୍କ ଏହି ଭାଷଣ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏବଂ ତାଙ୍କୁ ପ୍ରବଳ ସମାଲୋଚନାର ଶିକାର ହେବାକୁ ପଡ଼ିଛି।
ଓଡ଼ିଆ ପରମ୍ପରା ଓ ଐତିହ୍ୟର ଗାଥା ବହନ କରୁଥିବା ଏହି ମହୋତ୍ସବରେ ବିଧାୟକ ଓଡ଼ିଆରେ ଭାଷଣ ଦେଲେ ବୋଧହୁଏ ନିଜେ ଅପମାନିତ ହେବାରୁ ବଞ୍ଚିତ ହୁଅନ୍ତେ ଏବଂ ସମଗ୍ର ଓଡ଼ିଆ ସମାଜକୁ ଅପମାନିତରୁ ରକ୍ଷା କରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।