Latest Odisha News

BREAKING NEWS

କଟକ ଟ୍ରାଜେଡି ପରେ ୨ ଯନ୍ତ୍ରୀ ନିଲମ୍ବିତ, ନାବାଳିକାଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ସହାୟତା

କଟକ: ବକ୍ସଡ୍ରେନରେ ଫସି ନାବାଳିକା ଜଣଙ୍କ ପ୍ରାଣ ହାରିବା ପରେ ପ୍ରଶାସନ ଆକ୍ସନ୍ ମୋଡକୁ ଆସିଛି । କର୍ତ୍ତବ୍ୟରେ ଅବହେଳା ଲାଗି ନଗର ଉନ୍ନୟନ ବିଭାଗ ୨ ଜଣ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସିଏମସିର ୨ ସହକାରୀ ଯନ୍ତ୍ରୀ ସଞ୍ଜୀବ ପ୍ରଧାନ ଓ ଦିଲୀପ ସାହୁଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

ଅନ୍ୟପଟେ ମୃତ ୧୭ ବର୍ଷୀୟା ନାବାଳିକାଙ୍କ ପରିବାକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି କଟକ ମେୟର । କେଶରପୁର ନିକଟରେ ଚାଲିଥିବା ବକ୍ସଡ୍ରେନ୍ କାମ ପାଇପରେ ଫସି ନାବାଳିକାଙ୍କ ମୃତ୍ୟୁ ହୋଇଥିଲା ।

ଯାହାକୁ ସିଏମସି ଗମ୍ଭୀରତାର ସହ ନେଇଥିବା ବେଳେ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀଙ୍କ ସହ ଆଜି ବୈଠକ କରିଥିଲେ ସିଏମସି ମେୟର । ନିର୍ଦ୍ଦେଶ ଦେଇଥିଲେ, ସହରରେ ହେଉଥିବା ଉନ୍ନତିମୂଳକ କାର୍ଯ୍ୟ ସ୍ଥଳୀରେ ସାଇନ୍ ବୋର୍ଡ ଲାଗିବ, ବ୍ୟାରିକେଡ୍ ହେବ ଏବଂ ସୁରକ୍ଷାକର୍ମୀ ନିୟୋଜନ କରାଯିବ ।

ତେବେ ମୃତ ନାବାଳିକାଙ୍କ ପରିବାରକୁ ଭେଟିବାକୁ ଯିବା ବେଳେ ବିରୋଧୀ କାଉନସିଲର ମେୟର ଓ କମିଶନରଙ୍କୁ ବିରୋଧ କରିଥିଲେ । ଅଘଟଣ ପାଇଁ ବିରୋଧୀ କାଉନସିଲର ସିଏମସିକୁ ଦାୟୀ କରିଥିଲେ । କଟକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ବେଳେ ୨ ଦିନରେ ୨ ଜଣଙ୍କ ଜୀବନ ଗଲାଣି । ଆଉ ବଡ଼଼ କଥା ହେଲା ଏସବୁ ସ୍ଥାନରେ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇ ନଥିବା ଅଭିଯୋଗ ହୋଇଛି ।

ସୋମବାର ଜଣେ ବ୍ୟବସାୟୀଙ୍କ କାର ତାଳଦଣ୍ଡା କେନାଲକୁ ଖସି ପଡ଼ିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ବ୍ଯବସାୟୀଙ୍କ ସ୍ତ୍ରୀ ଏସସିବିରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ୧୭ ବର୍ଷର ମୋହିନୀ ଚାଲି ଚାଲି ଯାଉଥିବା ବେଳେ ଲୁହା ପାଦଚଲା ଓଭରବ୍ରିଜରୁ ମଙ୍ଗଳବାର ଖସି ପଡ଼଼ିଥିଲା ।

୪୫ ମିନିଟ୍ ଧରି ଫସି ରହିବା ପରେ ଜେସିବି ମେସିନ୍ ଓ ଅଗ୍ନିଶମ ବାହିନୀ ସାହାଯ୍ୟରେ ତାକୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲା ମୋହିନୀ ।

Leave A Reply

Your email address will not be published.