କଟକ: କଟକବାସୀଙ୍କ ପାଇଁ ଖୁସି ଖବର । ବିଶ୍ଵପ୍ରସିଦ୍ଧ କଟକର ରୂପା ତାରକସି କାମକୁ ମିଳିଲା ଜିଆଇ ମାନ୍ୟତା । ଚେନ୍ନାଇ ଭିତ୍ତିକ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରିରୁ ଏହି ସୂଚନା ମିଳିଛି । ଏହାକୁ ମିଶାଇ ବର୍ତ୍ତମାନ ଓଡିଶାର ଜିଆଇ ତାଲିକା ୨୬କୁ ବୃଦ୍ଧି ପାଇଛି ।
୨୦୨୧ ମସିହା ଜୁଲାଇ ୭ତାରିଖରେ ଓଡିଶା ହସ୍ତକଳା ସମବାୟ ସମିତି ତରଫରୁ ରୁପା ତାରକସିକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ ହୋଇଥିଲା । ଆବେଦନକୁ ବିଚାରକୁ ନେଇ କଟକ ତାରକସିର ଇତିହାସ ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରିବାକୁ ଏକ କନସଲଟାନ୍ସି ଫାର୍ମକୁ ଏହି ଦାୟିତ୍ଵ ଦିଆଯାଇଥିଲା । ଫାର୍ମର ସୁପାରିଶ କ୍ରମେ ତାମିଲନାଡୁର ଜିଆଇ ରେଜିଷ୍ଟ୍ରେସନ୍ ଉତ୍ପାଦର ନୋଡାଲ୍ ଅଫିସର୍ ପି.ସଞ୍ଜୟ ଗାନ୍ଧୀ କଟକ ରୁପା ତାରକସି ସମ୍ପର୍କରେ ୧୧୧ ପୃଷ୍ଟାର ରିପୋର୍ଟ ଜିଆଇ ରେଜିଷ୍ଟାରଙ୍କ ନିକଟରେ ଦାଖଲ କରିଥିଲେ । ଯେଉଁଥିରେ କଟକ ତାରକସିର ଐତିହ୍ୟ ଓ କାରିଗରୀ ସମ୍ପର୍କରେ ବିସ୍ତୃତ ଉଲ୍ଲେଖ ରହିଥିଲା ।
ତାରକସି କାମ ଏକ ଭାରତୀୟ ଧାତୁକଳା । ଏହା ଓଡ଼ିଶାର କଟକରୁ ଆରମ୍ଭ ହୋଇଥିଲା । ବଣିଆମାନେ ମୁଖ୍ୟତଃ ରୂପାର ସୂକ୍ଷ୍ମ ତାରରେ ଅଳଙ୍କାର ଓ ଅନ୍ୟାନ୍ୟ ସାଜସଜ୍ଜା ସରଞ୍ଜାମ ତିଆରି କରିଥାନ୍ତି । ଏହା ୫୦୦ ବର୍ଷରୁ ଅଧିକ ପୁରୁଣା ଏକ ପାରମ୍ପରିକ କଳା ଯାହା କଟକ ଓ ଆଖ ପାଖର ସ୍ଥାନୀୟ କାରିଗରମାନେ ଅନେକ ପିଢ଼ି ଧରି କରିଆସୁଛନ୍ତି । ଅଧୁନା, ଅଧିକାଂଶ ରୂପା କାରିଗର କଟକର । ଅତୀତରେ ଓଡ଼ିଶାର ବିଦେଶ ବଣିଜ କାଳରେ ସାଧବମାନେ ଇଣ୍ଡୋନେସିଆ ଆହୁରି ଅନେକ ଦକ୍ଷିଣ ଏସିଆର ଦେଶସବୁକୁ ଏସବୁ ନେବା ବେଳରେ ଏହି କଳା ସମୃଦ୍ଧି ଲାଭ କରିଥିଲା ।
ପାରମ୍ପାରିକ ଭାବେ ତାରକସି କାମରେ ବ୍ୟବହାର ହେଉଥିବା ରୂପା ତାର ପାଇଁ ରୂପାକୁ ଅତି ପତଳା କଣା ଭିତରେ ପଶାଇ ଟାଣି ସରୁ ତାର ତିଆରି କରାଯାଇଥାଏ । ପରେ ବଣିଆମାନେ ଏହି ତାରକୁ ବ୍ୟବହାର କରି ଅଳଙ୍କାର ଆଦି ତିଆରି କରନ୍ତି । କଟକ ରୁପା ତାରକସିର ୩ ଭାଗରେ ନିର୍ମାଣ ଶୈଳୀ ରହିଛି । ତାହା ହେଲା ଫୁଲ, ଜାଲି ଓ ସିକୋ । ତାରକସି ନିର୍ମାଣ ଶୈଳୀରେ ପ୍ରାୟ ୩୨ ପ୍ରକାରର ଉପକରଣ ବ୍ୟବହାର କରାଯାଇ ଆସୁଛି । ତେବେ ମେସିନ ନିର୍ମିତ ଉତ୍ପାଦର ବଜାର ପ୍ରବେଶ ପରେ ହାତ ତିଆରି ତାରକସିର କାରବାର ହ୍ରାସ ପାଇଛି ।
Comments are closed.