ବ୍ରହ୍ମପୁର:ମୋବାଇଲରେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟ ଅପଡେଟ କରିବାକୁ ଯାଇ ବ୍ରହ୍ମପୁରର ଦୁର୍ଗାପ୍ରସାଦ ଦେଶୀବେହେରା ୩ଲକ୍ଷ ୨୫ ହଜାର ଟଙ୍କା ଠକେଇ ଶିକାର ହୋଇଛନ୍ତି। ସାଇବର ଠକମାନେ ତାଙ୍କ ନିକଟକୁ ଆକାଉଣ୍ଟ ଅପଡେଟ କରିବାର ମେସେଜ ପଠାଇ କୌଶଳକ୍ରମରେ ତାଙ୍କ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ଖାଲି କରିଦେଇଛନ୍ତି। ଟଙ୍କା ହରାଇବା ପରେ ଦେଶୀବେହେରା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସମେତ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଛନ୍ତି ।
ସୂଚନାଅନୂସାରେ ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଯାତ୍ରାର ଆୟୋଜକ ତଥା ଦେଶୀବେହରା ସାହିର ଦୁର୍ଗାପ୍ରସାଦ ଦେଶୀବେହେରାଙ୍କ ମୋବାଇଲକୁ ୨୦ ତାରିଖରେ ଏକ ମେସେଜ ଆସିଥିଲା । ‘ଆଜି ଆପଣଙ୍କ ଷ୍ଟେଟବ୍ୟାଙ୍କ ଆକାଉଣ୍ଟ ବ୍ଲକ ହୋଇଯିବ, ପାନ କାର୍ଡ ଅପଡେଟ କରନ୍ତୁ’ ବୋଲି ସେହି ମେସେଜରେ ଲେଖା ହେବା ସହ ଏକ ଲିଙ୍କ ମଧ୍ୟ ରହିଥିଲା । ମେସେଜ ଆସିବାର ଗୋଟିଏ ଦିନ ପରେ ଦୁର୍ଗାପ୍ରସାଦ ମେସେଜ ଖୋଲି ଦେଖିଥିଲେ ।
ଷ୍ଟେଟବ୍ୟାଙ୍କରେ ଲକ୍ଷାଧିକ ଟଙ୍କା ରହିଥିବାରୁ ତାହା ବ୍ଲକ ହୋଇଗଲେ ଅସୁବିଧା ହେବ ବୋଲି ଭାବି ସେ ଉକ୍ତ ମେସେଜକୁ କ୍ଲିକ କରିଥିଲେ । ମେସେଜର ଲିଙ୍କ କ୍ଲିକ କରିବା ପରେ ତାଙ୍କ ମୋବାଇଲରେ ଷ୍ଟେଟବ୍ୟାଙ୍କର ୟୋନୋ ଆପ ଭଳି ଏକ ୱେବସାଇଟ ପୃଷ୍ଠା ଖୋଲିଥିଲା । ସେହି ପୃଷ୍ଠାରେ ୟୁଜର ନେମ୍ ଓ ପାସୱାର୍ଡ ଦେବା ପରେ ମୋବାଇଲ ନମ୍ବର ଓ ପାନକାର୍ଡ ନମ୍ବର ଦାଖଲ ପାଇଁ କୁହାଯାଇଥିଲା । ସେହିକ୍ରମରେ ଦୁର୍ଗାପ୍ରସାଦ ନିଜର ମୋବାଇଲ ନମ୍ବର ଓ ପାନକାର୍ଡ ଦାଖଲ କରିବା ପରେ ଦୁଇଟି ଓଟିପି ଆସିଥିଲା । ଆଉ ପାନକାର୍ଡ ଅପଡେଟ ପାର୍ଇ ଆସିଥିବା ଓଟିପି ମାରିବା ପରେ ତାଙ୍କ ଷ୍ଟେଟବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୨୪ ହଜାର ୯୮୭ ଟଙ୍କା କଟିଯାଇଥିଲା । ସେହିପରି ଦ୍ବିତୀୟ ଓଟିପି ମାରିବା ପରେ ପୁଣି ୨ଲକ୍ଷ ୯୯ହଜାର ୯୯୯ ଟଙ୍କା କଟିଯାଇଥିଲା । ତେବେ ଆକାଉଣ୍ଟ ଅପଡେଟ ବେଳେ ଟଙ୍କା କଟିବାର ମେସେଜ ଦେଖି ଦୁର୍ଗାପ୍ରସାଦ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏ ନେଇ ସେ ନିଜ ଶାଖାକୁ ଯୋଗାଯୋଗ କରିବା ପରେ ମିନି ଷ୍ଟେଟମେଣ୍ଟ ଦେଖିଥିଲେ । ଆଉ ସେହି ସମୟରେ ଦୁଇଟି ନେଣଦେଣ ଜରିଆରେ ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୨୫ ହଜାର ଟଙ୍କା କଟିଥିବା ଜାଣିବାକୁ ପାଇଥିଲେ । ସେ ଯେଉଁ ଲିଙ୍କକୁ କ୍ଲିକ କରି ନିଜ ଆକାଉଣ୍ଟ ଅପଡେଟ କରିବାକୁ ଚେଷ୍ଟା କରିଥିଲେ ତାହା ସାଇବର ଠକମାନେ ପଠାଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ଦୁର୍ଗାପ୍ରସାଦ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ ନଂ ୨୪/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।