ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’ (Cyclone Akvan) ପ୍ରଭାବରେ ନଭେମ୍ବର ୧୯ ଓ ୨୦ ତାରିଖ ଦୁଇ ଦିନ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଆସନ୍ତାକାଲି ଗୁରୁବାର ନଭେମ୍ବର ୧୯ ଏବଂ ଶୁକ୍ରବାର ନଭେମ୍ବର ୨୦ ତାରିଖରେ ପର୍ଯ୍ୟଟକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ ରହିବ। ପାଣିପାଗ ସ୍ୱାଭାବିକ ହେବା ପରେ ଉଦ୍ୟାନ ପୁନର୍ବାର ଖୋଲିବା ନେଇ ସୂଚନା ଦିଆଯିବ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସହିତ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବା ବଟାନିକାଲ୍ ଗାର୍ଡେନ୍ ମଧ୍ୟ ଏହି ଦୁଇ ଦିନ ବନ୍ଦ ରହିବ।
ଖୋର୍ଦ୍ଧା ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବାରୁ ପ୍ରବଳ ବର୍ଷା ଓ ପବନର ଆଶଙ୍କା ରହିଛି। ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ କର୍ତ୍ତୃପକ୍ଷ ଏହି ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ଏହି ଦୁଇ ଦିନ ମଧ୍ୟରେ ନନ୍ଦନକାନନ ବୁଲିବାକୁ ଯୋଜନା କରିଥିବା ପର୍ଯ୍ୟଟକମାନେ ନିଜର ଯାତ୍ରା ସୂଚୀ ବଦଳାଇବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ସଫଳ ମୁକାବିଲା ତଥା ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ପାଇଁ ରାଜ୍ୟର ୧୦ ଜଣ ବରିଷ୍ଠ ଆଇଏଏସ୍ (IAS) ଅଧିକାରୀଙ୍କୁ ୨୪ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ କରାଯାଇଛି ।
