ବାତ୍ୟା ଅକ୍ୱାନ: ସତର୍କ ରୁହନ୍ତୁ, ପ୍ରଶାସନକୁ ସହଯୋଗ କରନ୍ତୁ; ରାଜ୍ୟବାସୀଙ୍କୁ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ (Cyclone Akvan) ଓଡ଼ିଶା ଉପକୂଳ ମୁହାଁ ହେଉଥିବା ପରିପ୍ରେକ୍ଷୀରେ, ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସତର୍କ ରହିବା ସହ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶା ଉପକୂଳରେ ଆଉ ଏକ ବାତ୍ୟା ସ୍ଥଳଭାଗ ଛୁଇଁବା ଆଶଙ୍କା ରହିଥିବାରୁ ନବୀନ ପଟ୍ଟନାୟକ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ପାଣିପାଗ ସୂଚନା ଅନୁଯାୟୀ ଏହି ବାତ୍ୟା ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ଅଧିକ ପ୍ରଭାବିତ କରିବାର ସମ୍ଭାବନା ରହିଛି।
ଗଣମାଧ୍ୟମରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, “ମୁଁ ଗଭୀର ଚିନ୍ତିତ ଯେ ଓଡିଶା ଉପକୂଳ ରେ ଆଉ ଗୋଟିଏ ବାତ୍ୟା ଅକ୍ୱାନର ଲ୍ୟାଣ୍ଡଫଲ୍ ହେବାର ଆଶଙ୍କା ଦେଖାଦେଇଛି। ଏ ବାତ୍ୟା ଦ୍ୱାରା ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡିଶା ପ୍ରଭାବିତ ହେବ ବୋଲି ସତର୍କ ସୂଚନା ମିଳିଛି। ଗତ ମାସରେ ଅର୍ଣ୍ଣବ ବାତ୍ୟା ଓ ବନ୍ୟା ଦ୍ୱାରା ଆମର ଗଞ୍ଜାମ, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲା ବିଶେଷ କ୍ଷତି ସହିଥିଲା। ଏହି ଜିଲ୍ଲା ଗୁଡିକର ଲୋକଙ୍କ କଷ୍ଟ ଆମ ସମସ୍ତଙ୍କୁ ବହୁତ ଦୁଃଖ ଦେଇଛି।
ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ଆପଣ ମାନେ ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ପ୍ରଶାସନକୁ ସହଯୋଗ କରନ୍ତୁ। ମୁଁ ସବୁବେକେ ଆପଣମାନଙ୍କ ସହ ରହିଆସିଛି ଓ ରହିଥିବି। ବିଜୁ ଜନତା ଦଳର ସମସ୍ତ ନେତା ଓ କର୍ମୀ ଭାଇ ଭଉଣୀ ମାନଙ୍କୁ ମୋର ଅନୁରୋଧ ଏହି ବିପଦ ସମୟରେ ଆପଣମାନେ ଲୋକଙ୍କ ସହ ରୁହନ୍ତୁ। ସେମାନଙ୍କୁ ସାହାଯ୍ୟ କରନ୍ତୁ। ମୋର ବିଶ୍ୱାସ ସମସ୍ତଙ୍କ ସହଯୋଗ, ସତର୍କତା ଓ ମହାପ୍ରଭୁଙ୍କ କରୁଣାରୁ ଓଡିଶା ଏ ବିପଦକୁ ସଫଳ ଭାବରେ ମୁକାବିଲା କରି ପାରିବ। ନମସ୍କାର। ଜୟ ଜଗନ୍ନାଥ।”
