Latest Odisha News

BREAKING NEWS

ବାତ୍ୟା ବୁଲବୁଲ୍: ସନ୍ଧ୍ୟା ପରଠାରୁ ପବନର ବେଗ ବଢିପାରେ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲୁବୁଲ୍ ଶୁକ୍ରବାର ଭୋର୍ ୫ଟା ସମୟରେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବାପରେ ଏହା କ୍ରମେ ଓଡ଼ିଶାର ନିକଟବର୍ତ୍ତୀ ହେଉଛି । ଏବେ ଏହା ପାରାଦୀପ ଉପକୂଳଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂତ୍ରରୁ ଜଣାପଡ଼ିଛି ଯେ, ଏହି ବାତ୍ୟା ଆସନ୍ତା ୯ ତାରିଖରେ ବାଂଲାଦେଶ ଆଡ଼କୁ ମୁହାଁଇଲେ ମଧ୍ୟ ୮ ତାରିଖ ସନ୍ଧ୍ୟା ସମୟରୁ ଓଡ଼ିଶା ଉପକୂଳରେ ପବନ ବୃଦ୍ଧି ପାଇବ । ଆଜି ଶୁକ୍ରବାର ଦିନ ଅର୍ଥାତ୍ ୮ ତାରିଖ ସନ୍ଧ୍ୟା ୫ଟା ୩୦ ସମୟ ବେଳକୁ ପବନର ବେଗ ବୃଦ୍ଧି ପାଇବାରେ ଲାଗିବ ।

ବାତ୍ୟା ବୁଲବୁଲର ପ୍ରଭାବରେ ଆଜି ଅପରାହ୍ନ ପରେ ବା ସନ୍ଧ୍ୟା ସମୟରେ ପବନର ବେଗ ବୃଦ୍ଧି ପାଇବାରେ ଲାଗିବ । ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁ, ଯାଜପୁର ଏବଂ ଭଦ୍ରକ ଜିଲ୍ଲାର କେତେକାଂଶରେ ଅଧିକ ପବନ ବହିବାର ସମ୍ଭାବନା ରହିଛି । ଏଥିସହିତ ୮ ତାରିଖ ସନ୍ଧ୍ୟା ବେଳକୁ ବର୍ଷା ସାମାନ୍ୟ ବଢିବାର ଆଶଙ୍କା ରହିଛି ।

ଏସମ୍ପର୍କରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର୍ ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “୮ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ୬୫ କିଲୋମିଟର ବେଗରେ ପବନ ବହିବ । ତେବେ ୯ ତାରିଖ ଦିନ ଏହିସବୁ ଜିଲ୍ଲାମାନଙ୍କରେ ୭୦ରୁ ୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ଆଜି ପୁରୀ ଏବଂ ଗଞ୍ଜାମ ଜିଲ୍ଲାରେ ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।”

ବାତ୍ୟା ବୁଲବୁଲକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସମସ୍ତ ପ୍ରକାରର ବାତ୍ୟା ପୂର୍ବବର୍ତ୍ତୀ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସମ୍ଭାବ୍ୟ ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ଆଲର୍ଟ ଜାରି କରାଯାଇଛି ।

ପ୍ରଶାସନ ପକ୍ଷରୁ ବାତ୍ୟା ଲାଗି ଯେଉଁ ସତର୍କତା ଅବଲମ୍ବନ କରାଯାଇଛି ସେ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଏସଆରସି କହିଛନ୍ତି, “ଆଜି ଆବଶ୍ୟକ ପଡ଼ିଲେ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ । ସେଥିଲାଗି ପୂର୍ବରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସରିଛି । ୯ଟି ଜିଲ୍ଲାକୁ ଏନଡ଼ିଆରଏଫ ଏବଂ ଓଡ୍ରାଫ ଟିମ୍ ପଠାଯାଇସାରିଛି । ବାତ୍ୟା ସମୟରେ ଯେପରି ଲୋକେ ଘରୁ ବାହାରିବେ ନାହିଁ ସେଥିପ୍ରତି ସଚେତନ କରାଯାଇଛି ।”

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର୍ ପ୍ରଦୀପ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ୧୦ ତାରିଖ ଦିନ ଏହି ବାତ୍ୟାର ଓଡ଼ିଶାରେ ପ୍ରଭାବ କିଛି ରହିବ ନାହିଁ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.