Latest Odisha News

BREAKING NEWS

ଓଡିଶାକୁ ନାହିଁ ବାତ୍ୟା ଭୟ: ‘ଏସଆରସି’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲବୁଲ ଓଡିଶାର ସ୍ଥଳଭାଗ ସ୍ପର୍ଶ କରିବ ନାହିଁ ବୋଲି ଏସାଆରସି ସ୍ପଷ୍ଟ କରିଛି । ତେବେ ଏହା ଓଡ଼ିଶା ଉପକୂଳର ନିକଟରୁ ଅତିକ୍ରମ କରୁଥିବାରୁ ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ଆସନ୍ତା ୪୮ ଘଣ୍ଟା ଯାଏଁ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି । ବିଶେଷକରି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାବାସୀଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ।

ପଶ୍ଚିମବଙ୍ଗର ସୁନ୍ଦରବନଠାରେ ବାତ୍ୟା ବୁଲବୁଲ୍ ଲ୍ୟାଣ୍ଡଫଲ କରିବା ନେଇ ସ୍ପଷ୍ଟ କରିଛି ଆଇଏମଡି । ପାଣିପାଗ ବିଭାଗର ଆକଳନ ଅନୁସାରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟ ଦେଇ ବାତ୍ୟା ଗତି କରିବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆଇଏମଡିର ଆକଳନ ଅନୁସାରେ ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୧୦ ରୁ ୧୨୦ କିମି ପ୍ରତି ଘଣ୍ଟା ରହିବ ।

ଆଇଏମଡି ଦେଇଥିବା ଶେଷ ସୂଚନା ଅନୁଯାୟୀ, ବାତ୍ୟା ବୁଲବୁଲ୍ ପାରାଦ୍ୱୀପ ଠାରୁ ୩୧୦ କିମି ଦୂରରେ ରହିଛି ଏବଂ ଘଣ୍ଟାକୁ ୧୩ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି ବୁଲବୁଲ୍ । ବର୍ତ୍ତମାନ ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡିକରେ ୩୫ ରୁ ୪୫କିମି ବେଗରେ ପବନ ବହୁଛି ଏବଂ ଆସନ୍ତାକାଲି ସକାଳେ ପବନର ବେଗ ବଢି ୫୫ ରୁ ୭୫ କିମି ପର୍ଯ୍ୟନ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ଯାଜପୁରରେ ପହଞ୍ଚିଛି ୨୫ ଜଣିଆ ସଦସ୍ୟ ବିଶିଷ୍ଟ ଏନଡିଆରଏଫ ଟିମ । ସମସ୍ତ ଆବଶ୍ୟକୀୟ ସରଞ୍ଜାମ ଓ ପୂର୍ବ ପ୍ରସ୍ତୁତି ସହ ବାତ୍ୟାକୁ ସଫଳ ଭାବେ ମୁକାବିଲା କରିବା ପାଇଁ ଟିମ ପ୍ରସ୍ତୁତ ଥିବା କହିଛନ୍ତି ଟିମ ଅଧ୍ୟକ୍ଷ ।

Leave A Reply

Your email address will not be published.