Latest Odisha News

ଭୀଷଣ ରୂପ ନେଉଛି ‘ଦାନା’

ଭୁବନେଶ୍ବର: ଓଡିଶା ଉପକୂଳ ଆଡକୁ ମାଡିଆସୁଛି ଦାନା। ଆସନ୍ତାକାଲି ନେବ ଭୀଷଣ ବାତ୍ୟାର ରୂପ। ୨୪ତାରିଖ ରାତି ଓ ୨୫ତାରିଖ ସକାଳ ମଧ୍ୟରେ ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ କରିପାରେ ଦାନା। ପ୍ରଭାବରେ ଧାମରା, ପାରାଦୀପ ସହ କେନ୍ଦ୍ରାପଡା ରାଜକନିକାରେ ବର୍ଷା ଆରମ୍ଭ ହୋଇଛି। ସଂଧ୍ୟା ବେଳକୁ ଉପକୂଳ ଅଞ୍ଚଳରେ ବର୍ଷାର ପରିମାଣ ବଢିବ । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ହୋଇପାରେ । ବାତ୍ୟାର ବାହ୍ୟବଳୟ ସ୍ଥଳଭାଗ ଛୁଇଁଥିବା ନେଇ ସୂଚନା ମିଳିଛି । ବାତ୍ୟା ମୁକାବିଲା ପାଇଁ ସଜାଗ ରହିଛନ୍ତି ସରକାର ।

ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ

ଭଦ୍ରକ, କେନ୍ଦ୍ରାପଡାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି। ପାରାଦୀପ ରାଡାର ତଥ୍ୟରୁ ପାଣିପାଗ ବିଜ୍ଞାନୀ ଏନେଇ ସୂଚନା ଦେଇଛନ୍ତି । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଲାଣି। ଧାମରାରେ ବର୍ଷା ଓ ପବନ ଆରମ୍ଭ ହୋଇଥିବା ବେଳେ ପାରାଦୀପରେ ବି ବର୍ଷା ହେଉଛି। ଧୀରେ ଧୀରେ ସ୍ଥଳଭାଗ ଆଡକୁ ମୁହାଁଉଛି ବାତ୍ୟା ଦାନା । ଆସନ୍ତାକାଲି ଏହା ଭୀଷଣ ବାତ୍ୟାର ରୂପ ନେବ ।

ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍

ବାତ୍ୟାର ରୂପ ନେଇ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଦାନା। ଆଜି ମଧ୍ୟରାତ୍ରୀରୁ କାଲି ସକାଳ ମଧ୍ୟରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବ । ଭୀଷଣ ବାତ୍ୟା ଦାନା ଭିତରକନିକା ଓ ଧାମରା ମଧ୍ୟରେ ଅତିକ୍ରମ କରିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୦୦ରୁ ୧୨୦କିଲୋମିଟର ରହିବ। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ୨ରୁ ୩ ମିଟର ଉଚ୍ଚ ଜୁଆର ଆସିପାରେ । କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ବାତ୍ୟାରେ ବିଶେଷ କ୍ଷତିଗ୍ରସ୍ତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାତ୍ୟା ପାଇଁ ଭିତରକନିକା ୩ଦିନ ବନ୍ଦ କରାଯାଇଛି । ଇକୋରିଟ୍ରିଟରେ ଥିବା ପର୍ଯ୍ୟଟକଙ୍କୁ ତୁରନ୍ତ ସ୍ଥାନ ଛାଡି ଯିବାକୁ କୁହାଯାଇଛି ।

ସଂଧ୍ୟାରୁ ବଢିବ ବର୍ଷା

ଆଜି ସଂଧ୍ୟାରୁ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ । ଆସନ୍ତାକାଲି ଓ ୨୫ତାରିଖରେ ବାତ୍ୟାର ସର୍ବାଧିକ ପ୍ରଭାବ ରହିବ। ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି । କାଲି କିଛି ସ୍ଥାନରେ ୭ରୁ ୨୦ସେମି ବର୍ଷା ହୋଇପାରେ। ଅଳ୍ପ କିଛି ସ୍ଥାନରେ ୨୦ ସେମିରୁ ବି ଅଧିକ ବର୍ଷା ହୋଇପାରେ । ସେହିପରି କେନ୍ଦୁଝର, ଢେଙ୍କାନାଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । କାଲି ଓ ୨୫ରେ ଉପକୂଳରେ ବର୍ଷା, କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

ସମୁଦ୍ର ଅଶାନ୍ତ, ଉଚ୍ଚ ଜୁଆର

ଦାନା ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର। ୨୫ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି । ପୁରୀ, ପାରାଦୀପ ଓ ଧାମରାକୁ ୪ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଗୋପାଳପୁର ବନ୍ଦରକୁ ୨ନମ୍ବର ବିପଦ ସଂକେତ ଜାରି ହୋଇଛି । ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ଖାଲୁଆ ଅଞ୍ଚଳ ଜଳମଗ୍ନ ହେବା ସହ ବଢିପାରେ ନଦୀ ଜଳସ୍ତର । ପବନର ବେଗ ଅଧିକ ରହୁଥିବାରୁ ଗଛ ଉପୁଡିବା ସହ ବିଦ୍ୟୁତ ସେବା ପ୍ରଭାବିତ ହୋଇପାରେ । ମାଟି ଘର ଭାଙ୍ଗିବା ସହ ଧାନ ଚାଷ କ୍ଷତି ହେବା ଆଶଙ୍କା ରହିଛି । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପ ଲାଇନ୍ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି। ଏନଡିଆରଏଫ୍ ଓ ଓଡ୍ରାଫ ଟିମ ନିୟୋଜିତ ହୋଇଥିବା ବେଳେ ଜିରୋ କାଜୁଆଲିଟି ମିଶନ ନେଇ କାମ କରୁଛନ୍ତି ସରକାର ।

Leave A Reply

Your email address will not be published.