Latest Odisha News

BREAKING NEWS

‘ଦାନା’ ମୁକାବିଲା ପ୍ଲାନ୍…ସ୍କୁଲ ବନ୍ଦ, ଛୁଟି ବାତିଲ୍

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଓଡ୍ରାଫ୍, ଏନଡିଆରଏଫ୍ ଟିମ୍ । ଡାକ୍ତରଙ୍କ ଛୁଟି ବାତିଲ, ଷ୍ଟାଣ୍ଡବାଏ ମୋଡରେ ହସପିଟାଲ । କାଲି ରାତି ସୁଦ୍ଧା ସ୍ଥାନାନ୍ତର ହେବେ ଲୋକ । ଆସନ୍ତାକାଲିଠୁ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଆସିବ । ବାତ୍ୟା ମୁକାବିଲା ସାଙ୍ଗକୁ ଜିରୋ କାଜୁଆଲିଟି ଲକ୍ଷ୍ୟରେ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର । ବାତ୍ୟା ଆଶ୍ରୟସ୍ଥଳୀ, ହସପିଟାଲ ପ୍ରସ୍ତୁତ ରଖିବା ସହ ୧୪ଟି ଜିଲ୍ଲାରେ ୩ଦିନ ପାଇଁ ସ୍କୁଲ ଛୁଟି କରାଯାଇଛି ।

ଓଡ୍ରାଫ, ଏନଡିଆରଏଫ୍ ଟିମ ମୁତୟନ

ପୁରୀରୁ ସାଗରଦ୍ବୀପ ମଧ୍ୟରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପ୍ରଭାବିତ ଆଶଙ୍କା ଥିବା ସମସ୍ତ ଜିଲ୍ଲାରେ ଏନଡିଆରଏଫ୍ ଓ ଓଡ୍ରାଫ ଟିମ୍ ମୁତୟନ କରାଯାଉଛି। ୧୦ପ୍ରଭାବିତ ଜିଲ୍ଲାରେ ରହିବେ ୧୭ଟି ଓଡ୍ରାଫ ଟିମ୍ । ଏଥିସହ ୩ଓଡ୍ରାଫ ଟିମ୍ ରିଜର୍ଭ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅତିରିକ୍ତ ୧୦ ଏନଡିଆରଏଫ୍ ଟିମ୍ ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଛି । ଆବଶ୍ୟକ ହେଲେ ହେଲିକପ୍ଟର ବ୍ୟବହାର କରାଯିବ। ସବୁ ଡ୍ୟାମ ଉପରେ ନଜର ରଖିଛି ଜଳସଂପଦ ବିଭାଗ ।

ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ

୨୫୦ଟି ବାତ୍ୟା ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି । ସବୁ ରିଲିଫ ସେଣ୍ଟରରେ ମହିଳା ପୋଲିସ ଜଗିବେ । ସରକାରୀ ଆଶ୍ରୟସ୍ଥଳୀ ଛଡା ଆଉ ୫ଶହଟି ଅସ୍ଥାୟୀ ଶିବିର କରାଯାଇଛି । ଔଷଧ, ରନ୍ଧା ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ତଦାରଖ କରାଯାଉଛି । ରାଜ୍ୟ ଓ ବ୍ଲକସ୍ତରରେ କଣ୍ଟ୍ରୋଲ ରୁମ କରି ହେଉଛି ମନିଟରିଂ। ଗର୍ଭବତୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି । ଗର୍ଭବତୀ, ଶିଶୁ, ବୟସ୍କଙ୍କୁ ଆଗୁଆ ସ୍ଥାନାନ୍ତର କରାଯିବ । ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଲୋକଙ୍କୁ କାଲି ରାତି ସୁଦ୍ଧା ସ୍ଥାନାନ୍ତର କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

ସ୍କୁଲ ଛୁଟି, ଡାକ୍ତରଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ଟି ଜିଲ୍ଲାରେ ୩ଦିନ ପାଇଁ ସ୍କୁଲ ଛୁଟି କରିଛନ୍ତି । ୨୩ରୁ ୨୫ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ । ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହୋଇପାରେ । ତେଣୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେହିପରି ପରୀକ୍ଷା ବାତିଲ କରାଯାଇଛି । ସେପଟେ ବାତ୍ୟା ପାଇଁ ସବୁ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଛି । ସବୁ ମେଡିକାଲରେ ଡାଇରିଆ ଓ ସର୍ପାଘାତ ମେଡିସିନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲରେ ୨୪ଘଣ୍ଟିଆ ପାଓ୍ବାର ବ୍ୟାକଅପ୍ ରଖିବାକୁ କୁହାଯାଇଛି ।

ମାଆଙ୍କୁ କାଲି ମେଲାଣି

କେନ୍ଦ୍ରାପଡା ଲକ୍ଷ୍ମୀପୂଜାରେ ସମ୍ଭାବ୍ୟ ବାତ୍ୟା ପ୍ରଭାବ ଦେଖିବାକୁ ମିଳିଛି । ଆଜି ତୋରଣ ଖୋଲି ଆସନ୍ତାକାଲି ସୁଦ୍ଧା ଭସାଣ ସାରିବାକୁ ସମସ୍ତ ପୂଜା କମିଟିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାତି ସୁଦ୍ଧା ସମସ୍ତ ପୂଜା ଅନୁଷ୍ଠାନ ପକ୍ଷରୁ ବାଉଁଶ, ଲାଇଟ୍ ଗେଟ୍ ଖୋଲାଯାଉଛି । ସମ୍ଭାବ୍ୟ ବାତ୍ୟା ପାଇଁ କେନ୍ଦ୍ରାପଡାରେ ଧାର୍ଯ୍ୟ ସମୟ ପୂର୍ବରୁ ଭସାଣ ସାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବାତ୍ୟା ପାଇଁ ବଢିଲା ଦର !

ବାତ୍ୟା ପୂର୍ବରୁ ହଠାତ୍ ବଢିଛି ଆଳୁ, ପିଆଜ ସମେତ ପନିପରିବା ଦର । ରାତିକ ମଧ୍ୟରେ ଆଳୁ କିଲୋ ପିଛା ୨୦ଟଙ୍କା ବଢିଛି । ପନିପରିବା ଦର ପୂର୍ବରୁ ଅଧିକ ଥିବା ବେଳେ ବାତ୍ୟା ପାଇଁ ଆହୁରି ବଢିଛି । ବାତ୍ୟା ପୂର୍ବରୁ ଭୟରେ ଲୋକେ ଆଳୁ, ପିଆଜ ସହ ପନିପରିବା ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି । ତେବେ ଆତଙ୍କିତ ହୋଇ ଅଯଥାରେ ଏସବୁ କିଣାକିଣି ନକରିବାକୁ ପରାମର୍ଶ ଦିଆଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାରୀ ରୋକିବାକୁ ଯୋଗାଣ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଗୋଦାମରେ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ରେଡ୍ କରାଯାଉଛି ।

Leave A Reply

Your email address will not be published.