Latest Odisha News

BREAKING NEWS

କେଉଁଠି ଲ୍ୟାଣ୍ଡଫଲ୍ କରିବ ‘ଦାନା’?

ଭୁବନେଶ୍ବର: ଭୀଷଣ ରୂପ ନେଇ ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା ଦାନା। କେଉଁଠି କରିବ ଲ୍ୟାଣ୍ଡଫଲ୍? କେଉଁ ଜିଲ୍ଲା ହେବ ପ୍ରଭାବିତ? ସମ୍ଭାବ୍ୟ ବାତ୍ୟାର ଗତିପଥ ସଂପର୍କରେ ସ୍ପଷ୍ଟ ରୂପରେଖ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଘୂର୍ଣ୍ଣିବଳୟ ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ପାର୍ଶ୍ବବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨୩ତାରିଖରେ ଏହା ବାତ୍ୟା ଓ ୨୪ବେଳକୁ ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ଉପରେ ନଜର ରଖିବାକୁ ଏସଆରସିଙ୍କ କାର୍ଯ୍ୟାଳୟରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛି । ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଥିବାରୁ ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ କହିଛନ୍ତି ରାଜସ୍ବ ମନ୍ତ୍ରୀ।

କେଉଁଠି କରିବ ଲ୍ୟାଣ୍ଡଫଲ୍?

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବା ପରେ ମଙ୍ଗଳବାର ସକାଳେ ଅବପାତର ରୂପ ନେବ । ସଂଧ୍ୟାରେ ଗଭୀର ଅବପାତ ଓ ୨୩ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହେବ । ସମ୍ଭାବ୍ୟ ବାତ୍ୟାର ନାଁ ଦାନା ରଖାଯାଇଛି । ବାତ୍ୟା ରୂପ ନେଇ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ଆଡକୁ ମୁହାଁଇବ ଦାନା। ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ। ପୁରୀରୁ ସାଗର ଦ୍ବୀପ ମଧ୍ୟରେ ୨୪ ଓ ୨୫ ତାରିଖ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ଅନୁମାନ କରିଛି ଆଇଏମଡି। ଏହି ସମୟରେ ପବନର ବେଗ ଘଣ୍ଟାକୁ ୧୦୦ରୁ ୧୨୦ କିଲୋମିଟର ରହିପାରେ।

‘ଦାନା’ ପ୍ରଭାବରେ କେବେଠୁ ବର୍ଷା?

ସମ୍ଭାବ୍ୟ ବାତ୍ୟା ଦାନା ପ୍ରଭାବରେ ରାଜ୍ୟରେ ୨୩ତାରିଖରୁ ବର୍ଷାର ପରିମାଣ ବଢିବ । ମଙ୍ଗଳବାର ସକାଳୁ ପାଗ ମେଘୁଆ ହେବା ସହ କିଛି ସ୍ଥାନରେ ବର୍ଷା ହୋଇପାରେ । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ସମ୍ଭାବ୍ୟ ବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ହେବେ । ୨୪ ଓ ୨୫ ତାରିଖରେ ରାଜ୍ୟର ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଗଞ୍ଜାମ, ଗଜପତିରେ ଭୂସ୍ଖଳନ ଆଶଙ୍କା ରହିଛି । ଦାନା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ୨୫ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଏଥିସହ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ଆଜିସୁଦ୍ଧା ଫେରି ଆସିବାକୁ କୁହାଯାଇଛି ।

ମୁକାବିଲା ପାଇଁ ସରକାର ସଜାଗ

ଦାନା ମୁକାବିଲା ପାଇଁ ଆଲର୍ଟ ମୋଡରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ। ଏସଆରସିଙ୍କ କାର୍ଯ୍ୟାଳୟରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ବାତ୍ୟା ଗତିପଥ ଉପରେ ନଜର ରଖାଯାଇଛି । ପ୍ରଭାବିତ ହେବା ଆଶଙ୍କା ରହିଥିବା ଜିଲ୍ଲାଗୁଡିକର ସ୍ଥିତି ଉପରେ ନଜର ରଖାଯାଇଛି । ବାତ୍ୟାକୁ ନେଇ ଭୟଭୀତ ନହେବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। କେବଳ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ନୁହେଁ, ପୂରା ୩୦ଜିଲ୍ଲାରେ ପ୍ରସ୍ତୁତି ରହିବ । ୩୦ଜିଲ୍ଲାରେ ଓଡ୍ରାଫ ଟିମ ମୁତୟନ ରହିବେ, ଏନଡିଆରଏଫକୁ ଆଲର୍ଟ ରଖାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସମୟ ପାଖେଇ ଆସିଲେ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

ବିଜେପି ସରକାରକୁ ଆସିବା ପରେ ପ୍ରଥମ ଥର ପାଇଁ ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବାକୁ ଯାଉଛି । ପୂର୍ବ ବିଜେଡି ସରକାର ସମୟରେ ଫାଇଲିନ୍, ହୁଡହୁଡ, ଫନି ଭଳି ବିଭିନ୍ନ ବାତ୍ୟାର ସଫଳ ମୁକାବିଲା କରି ବିଶ୍ବସ୍ତରରେ ପ୍ରଶଂସା ସାଉଁଟିଥିଲେ ନବୀନ ପଟ୍ଟନାୟକ । ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦେଇ ବାତ୍ୟା ମୁକାବିଲା ପ୍ଲାନ୍ କରାଯାଇଥିଲା । ବିଜେପି ସରକାର ପାଇଁ ବି ବାତ୍ୟା ମୁକାବିଲା ବଡ ଚ୍ୟାଲେଞ୍ଜ । ଲୋକଙ୍କ ଜୀବନ ସୁରକ୍ଷା ସହ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ କିଭଳି ଢଙ୍ଗରେ ସରକାର କରୁଛନ୍ତି, ତାଉପରେ ନଜର ରହିବ ।

Leave A Reply

Your email address will not be published.