Latest Odisha News

BREAKING NEWS

ଉଗ୍ରରୂପ ଧାରଣ କଲା ବାତ୍ୟା ‘ଫନି’, ତିତଲୀଠାରୁ ଅଧିକ ବିପଜ୍ଜନକ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ମଙ୍ଗଳବାର ଦିନ ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ଯେ, ବାତ୍ୟା ‘ତିତଲି’ ଠାରୁ ଅଧିକ ବିପଜ୍ଜନକ ହେଉଛି ଓଡ଼ିଶାକୁ ମାଡ଼ି ଆସୁଥିବା ବାତ୍ୟା ‘ଫନି’ । ଗତ ଅକ୍ଟୋବର ମାସରେ ଆନ୍ଧ୍ର ଉପକୂଳବର୍ତ୍ତୀ ଶ୍ରୀକାକୁଲମରେ ସ୍ଥଳପଥ ଛୁଇଁଥିବା ‘ତିତଲି’ ବାତ୍ୟାଠାରୁ ଏହି ବାତ୍ୟାର ପବନର ବେଗ ଅଧିକ ରହିବା ସହିତ ପୂର୍ବାପେକ୍ଷା ଅଧିକ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

“ଏହି ବାତ୍ୟା କେଉଁ ସ୍ଥାନର ସ୍ଥଳପଥ ଛୁଉଁଛି ତାହା ଉପରେ ବାତ୍ୟାର ପ୍ରକୋପ ସମ୍ପର୍କରେ ଅଧିକ ପୂର୍ବାନୁମାନ କରିହେବ । ତେବେ ଓଡ଼ିଶା ଉପକୂଳକୁ ଏହା ଅଧିକ ମାତ୍ରାରେ କ୍ଷତି ପହଞ୍ଚାଇବ ବୋଲି ଏଡ଼ାଇ ଦେଇ ହେଉନାହିଁ,” ବୋଲି ଗଣମାଧ୍ୟମକୁ ଆଜି କହିଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ଼ଃ ଏଚ ଆର୍ ବିଶ୍ୱାସ ।

ଏହି ଝଡ଼ର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ତଥା ପୂର୍ବ ଉପକୂଳ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ ଥିବା ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ମଙ୍ଗଳବାର ସକାଳ ୮ଟା ୩୦ରେ ଦିଆଯାଇଥିବା ବୁଲେଟିଟ୍ ଅନୁଯାୟୀ ଡ଼ଃ ବିଶ୍ୱାସ କହିଛନ୍ତି, ଏହି ଭୀଷଣ ଝଡ଼ ଫନି ବଙ୍ଗୋପସାଗରର ଦକ୍ଷିଣପୂର୍ବ ଦେଇ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ୧୬ କିମି ବେଗରେ ଗତିମାନ କରିବା ସହିତ ଗତ ୬ ଘଣ୍ଟା ମଧ୍ୟରେ ଏହା ଏକ ଭୀଷଣ ଝଡ଼ରେ ପରିଣତ ହୋଇସାରିଛି । ଏହା ବର୍ତ୍ତମାନ ଶ୍ରୀଲଙ୍କା ଉପକୂଳବର୍ତ୍ତୀ ତ୍ରିଙ୍ଗୋମାଳୀଠାରୁ ୬୭୦ କିମି ଦୂରରେ ତଥା ତାମିଲନାଡୁର ଚେନାଇ ଉପକୂଳର ଉତ୍ତର ଦକ୍ଷିଣ-ପୂର୍ବ ଦିଗରେ ପ୍ରାୟ ୬୯୦ କିମି ଦୂରତାରେ ଗତି କରୁଛି । ତେବେ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟ୍ଟନମଠାରୁ ୬୭୦ କିମି ଦୂରତାରେ ଗତି କରୁଥିବା ବୁଲେଟିନ ସୂତ୍ରରୁ ଜଣାପଡ଼ିଛି ।

“ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହା ଏକ ସର୍ବାଧିକ ଭୀଷଣ ଝଡ଼ରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ଝଡ଼ ମେ ୧ ତାରିଖ ବେଳକୁ ଓଡ଼ିଶା ଉପକୂଳର ଉତ୍ତର ଉତ୍ତର-ପୂର୍ବ ତଟବର୍ତ୍ତୀ ଅଞ୍ଚ ଳଦେଇ ଗତି କରିବାର ଆଶଙ୍କା ରହିଛି,” ବୋଲି ପାଣିପାଗ ବୁଲେଟିନ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.