Latest Odisha News

ବାତ୍ୟା ପ୍ରଭାବରେ କେଉଁଠି କେତେ ପବନ ବହିବ ? ଜାଣନ୍ତୁ

ଭୁବନେଶ୍ୱର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଜଓ୍ୱାଦ ସାଙ୍ଗରେ ନେଇ ଆସିବ ପ୍ରବଳ ବର୍ଷା ପବନ । ଉପକୂଳ ଆଡ଼କୁ ଅଗ୍ରସର ବେଳେ ଆରମ୍ଭ ହେବ ବର୍ଷା ପବନ । ଲଘୁଚାପ ଅବପାତ ରୂପ ନେବା ବେଳେ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ବେଗରେ ବହିପାରେ ପବନ । ୩ ତାରିଖ ସକାଳୁ ବଢ଼ିବ ପବନର ବେଗ । କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ରହିପାରେ । ସ୍ଥଳବିଶେଷରେ ବଢ଼ି ୮୫ କିଲୋମିଟର ଛୁଇଁପାରେ ।

୪ ତାରିଖ ସକାଳେ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ଶା ଉପକୂଳ ପାଖରେ ପହଞ୍ଚିବ । ସେତେବେଳେ ଆହୁରି ଅଧିକ ହେବ ପବନର ବେଗ । ପରବର୍ତ୍ତୀ ୨୪ ଘଣ୍ଟା ଯାଏ ଉତ୍ତର-ପଶ୍ଚିମ ତଥା ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟାପ୍ରତି ୯୦-୧୦୦ କିଲୋମିଟ ବେଗରେ ବହିପାରେ ପବନ । ଝଟକା ପବନ ୧୧୦ କିଲୋମିଟ ଯାଏ ବହିବାର ଆଶଙ୍କା କରାଯାଉଛି ।

ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ଆସନ୍ତାକାଲି ମଧ୍ୟରାତ୍ରିରୁ ପବନର ଘଣ୍ଟାପ୍ରତି ବେଗ ୪୫-୫୫ କିଲୋମିଟର ଓ ସର୍ବାଧିକ ୬୫ କିଲୋମିଟ ରହିପାରେ । ଏହା ଧୀରେ ଧୀରେ ବଢ଼ି ୪ ତାରିଖ ଅପରାହ୍ଣଠାରୁ ପରବର୍ତ୍ତୀ ୧୨ ଘଣ୍ଟା ଯାଏ ପବନର ବେଗ ଘଣ୍ଟାପ୍ରତି ୭୦-୮୦ କିଲୋମିଟ ଓ ସ୍ଥଳବିଶେଷରେ ବଢ଼ି ୯୦ କିଲୋମିଟର ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସମ୍ଭାବ୍ୟ ବାତ୍ୟା ଯୋଗୁଁ ୨ରୁ ୫ ତାରିଖ ପର୍ୟ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଉପକୂଳର ସମସ୍ତ ବନ୍ଦର, ଆଇଟିଆର ଚାନ୍ଦିପୁର, ଆର୍ମି ଡିଫେନ୍ସ କଲେଜ ଗୋପାଳପୁର, ଆଇଏନ୍‌ଏସ୍‌ ଚିଲିକା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ ଜୋନ୍‌ ମ୍ୟାନେଜ୍‌ମେଣ୍ଟ ପ୍ରୋଜେକ୍ଟ-ଓଡ଼ିଶା ସରକାର, ଭିତରକନିକା ବନ୍ୟଜନ୍ତୁ ଅଭୟାରଣ୍ୟ, ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମର କାର୍ୟ୍ୟଗୁଡ଼ିକ ୩ ତାରିଖ ପର୍ୟ୍ୟନ୍ତ ନିୟନ୍ତ୍ରିତ କରିବା ଏବଂ ୪ ତାରିଖରେ ସମସ୍ତ କାର୍ୟ୍ୟକଳାପ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.