Latest Odisha News

BREAKING NEWS

ଭୀଷଣ ରୂପ ନେଇ ଆସୁଛି ବାତ୍ୟା, ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦୁଇ ମାସର ବ୍ୟବଧାନରେ ପୁଣି ଓଡ଼ିଶାକୁ ବାତ୍ୟା ବିପଦ । ଚଳିତ ବର୍ଷର ଦ୍ବିତୀୟ ବାତ୍ୟା ‘ଜୱାଦ’ ଆସନ୍ତା ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି । ଯଦି ଏହା ଓଡ଼ିଶା ଉପକୂଳ ସ୍ପର୍ଶ କରେ ତେବେ ରେକର୍ଡ ସୃଷ୍ଟି କରିବ ।

୧୮୯୧ରୁ ୨୦୨୦ ମଧ୍ୟରେ ଅର୍ଥାତ ଗତ ୧୩୦ ବର୍ଷରେ ଡିସେମ୍ବରରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା କୌଣସି ବାତ୍ୟା କେବେ ଓଡ଼ିଶା ଉପକୂଳ ସ୍ପର୍ଶ କରିନାହିଁ। ଯଦି ବାତ୍ୟା ‘ଜୱାଦ’ ଉପକୂଳ ସ୍ପର୍ଶ କରେ ତେବେ ଓଡ଼ିଶା ବାତ୍ୟା ଇତିହାସରେ ଅଲୋଡ଼ା ରେକର୍ଡ ସୃଷ୍ଟି ହେବ।

୪ ତାରିଖ ଦିନ ବାତ୍ୟା ଭୀଷଣ ରୂପ ନେବ ଓ ଏହାର କେନ୍ଦ୍ରସ୍ଥଳରେ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ବହିବ। ଉପକୂଳ ଛୁଇଁବା ପୂର୍ବରୁ ବାତ୍ୟା ସମୁଦ୍ର ଭିତରେ ଆହୁରି ବଳ ଗୋଟାଇବ ଓ ଭୀଷଣ ରୂପ ନେବ। ପ୍ରାଥମିକ ଆକଳନ ଅନୁଯାୟୀ ‘ବାତ୍ୟା’ ଉତ୍ତର ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିମି ରହିବ। ଏହା ବଢ଼ିପାରେ।

‘ବାତ୍ୟା’ ପ୍ରଭାବରେ ୩ ତାରିଖ ସଂଧ୍ୟାରୁ ରାଜ୍ୟରେ ବର୍ଷିବା ଆରମ୍ଭ ହୋଇଯିବ। ୩ ତାରିଖ ରାତି ସୁଦ୍ଧା ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ। ୪ ଓ ୫ ତାରିଖ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷିବ ବୋଲି IMD ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି ।

Leave A Reply

Your email address will not be published.