Latest Odisha News

BREAKING NEWS

Cyclone Montha Damage: ‘ଚାଲିଛି ବାତ୍ୟା ମୋନ୍ଥାର କ୍ଷୟକ୍ଷତି ଆକଳନ, ଖୁବଶୀଘ୍ର ମିଳିବ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି’

ଭୁବନେଶ୍ବର: ଚାଲିଯାଇଛି ବାତ୍ୟା ମୋନ୍ଥା, ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଫସଲ କ୍ଷୟକ୍ଷତି ଘଟାଇଛି । ପଶ୍ଚିମରୁ ଦକ୍ଷିଣ ଓ ଉତ୍ତରରୁ ଉପକୂଳ ଓଡ଼ିଶା, ସବୁଆଡ଼େ ପ୍ରଭାବିତ ହୋଇଛି ଧାନ ଚାଷ । ତିନି ଦିନର ଲଗାଣ ବର୍ଷାରେ ବ୍ୟାପକ କ୍ଷତି ହୋଇଛି । ଯାହା ଏବେ ଚାଷୀ ପାଇଁ ଚିନ୍ତାର ବିଷୟ ପାଲଟିଛି । ଆଉ ଏହି ସମୟରେ ଏକ ଆଶ୍ବସ୍ତି ଖବର ଦେଇଛନ୍ତି ରାଜ୍ୟ ସରକାର ।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବାତ୍ୟା ମୋନ୍ଥାର କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଯାଇଛି । ଏବେ ଅମଳ ସମୟ ଥିବାରୁ କପା ଏବଂ ଧାନ ଚାଷର କ୍ଷୟକ୍ଷତି ହୋଇଛି । ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାପାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖୁବଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସହାୟତା ରାଶି ଯୋଗାଇ ଦିଆଯିବ ।

ରାଜସ୍ବ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେଉଁ ଜିଲ୍ଲାରେ କ୍ଷୟକ୍ଷତି ହୋଇନାହିଁ, ସେ ଜିଲ୍ଲାରୁ ରାଜସ୍ୱ ଅଧିକାରୀଙ୍କୁ ଆକଳନ ପାଇଁ ନିୟୋଜିତ କରାଯିବ ।

ସେହିପରି, ବର୍ତ୍ତମାନ ଭୁସ୍ଖଳନ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ଲାଗି ପଥର ଖସୁଛି । ପଥର ଖସିବାରେ ସବୁଠୁ ସମ୍ବେଦନଶୀଳ ଜିଲ୍ଲା ହେଉଛି ଗଜପତି ଜିଲ୍ଲା। ତେଣୁ ତୁରନ୍ତ ରାସ୍ତାଘାଟ ମରାମତି ସହ କ୍ଷତିଗ୍ରସ୍ତଙ୍କୁ ସରକାର ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

Comments are closed.