Cyclone Montha: ବାତ୍ୟା ଯୋଗୁଁ ବାତିଲ୍ ହେଲା ମନ୍ତ୍ରୀଙ୍କ ନୂଆପଡା ଗସ୍ତ, ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ଏବେ ହାଇ ଆଲର୍ଟରେ ରାଜ୍ୟ ସରକାର । ବାତ୍ୟା ନେଇ ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ ସଜାଗ ରହିଛି ସବୁ ବିଭାଗ । ଏହାରି ଭିତରେ ଆସୁଥିବା ଘୂର୍ଣ୍ଣିଝଡ଼ ମୋନ୍ଥାର ଗମ୍ଭୀରତାକୁ ଦେଖି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଗାମୀ ଉପନିର୍ବାଚନ ପାଇଁ ନୂଆପଡ଼ା ଜିଲ୍ଲାକୁ ତାଙ୍କର ନିର୍ଦ୍ଧାରିତ ଗସ୍ତ ବାତିଲ କରିଛନ୍ତି। ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ ହେବାକୁ ଥିବା ବେଳେ ବିଭିନ୍ନ ମନ୍ତ୍ରୀଙ୍କୁ ନୂଆପଡା ଦାୟିତ୍ବ ଦେଇଛି ବିଜେପି ।
ଏଥିସହିତ ବିଭିନ୍ନ ଜିଲ୍ଲାରେ ମଧ୍ୟ ସରକାରୀ କର୍ମଚାରୀଙ୍କୁ ଛୁଟି ବାତିଲ୍ ନେଇ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ ହୋଇଛି । ବାଲେଶ୍ୱରରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ବାଲେଶ୍ବର ଜିଲ୍ଲାପାଳ । ସେହିପରି ଗଞ୍ଜାମରେ ୨୫ରୁ ୩୦ ଛୁଟି ବାତିଲ ହୋଇଥିବା ବେଳେ ମୁଖ୍ୟାଳୟ ଛାଡ଼ିବା ଉପରେ କଟକଣା ଜାରି କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବା ମନା । ମାଲକାନଗିରିରେ ୨୭ରୁ ୩୦ ପର୍ଯ୍ୟନ୍ତ ଛୁଟି ବାତିଲ କଲେ ଜିଲ୍ଲାପାଳ । କୋରାପୁଟରେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କଲେ ଜିଲ୍ଲାପାଳ । ସେହିପରି କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ ହୋଇଛି ।
ଭାରତ ପାଣିପାଗ ବିଭାଗ (IMD) ପକ୍ଷରୁ ଏକ ଚେତାବନୀ ପରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ବଙ୍ଗୋପସାଗର ଉପରେ ଏକ ଡିପ୍ରେସନ୍ ଦ୍ରୁତ ଗତିରେ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହେଉଛି, ଯାହା ଅକ୍ଟୋବର ୨୮ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଉପକୂଳରେ ପହଞ୍ଚିବ ବୋଲି ଆଶା କରାଯାଉଛି।
ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ସମର୍ଥନ ସଂଗ୍ରହ କରିବାକୁ ପ୍ରସ୍ତୁତ ହୋଇଥିବା ମନ୍ତ୍ରୀ ସୁରେଶ ପୂଜାରୀ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ର ଏକ ଜରୁରୀକାଳୀନ ବୈଠକର ଅଧ୍ୟକ୍ଷତା କରିବା ପାଇଁ ତାଙ୍କର ଗସ୍ତ ବାତିଲ୍ କରିଛନ୍ତି । ବାତ୍ୟା ପ୍ରସ୍ତୁତି ପଦକ୍ଷେପ ତଦାରଖ ଏବଂ ପ୍ରତିକ୍ରିୟା କାର୍ଯ୍ୟକଳାପ ସମନ୍ୱୟ ଉପରେ ଧ୍ୟାନ ଦେବା ପାଇଁ ସେ ଅନ୍ୟ ସମସ୍ତ ଯୋଜନାବଦ୍ଧ ଗସ୍ତ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଛନ୍ତି। ଏଥିସହିତ ଘୂର୍ଣ୍ଣିବାତ୍ୟା ବିପଦ କମିବା ପର୍ଯ୍ୟନ୍ତ, ଭୁବନେଶ୍ୱରର ରାଜୀବ ଭବନରେ ବିପର୍ଯ୍ୟୟ ପରିଚାଳନା ବିଭାଗର ନିୟନ୍ତ୍ରଣ କକ୍ଷ ତାଙ୍କର ଅସ୍ଥାୟୀ କାର୍ଯ୍ୟାଳୟ ଭାବରେ କାର୍ଯ୍ୟ କରିବ।
ବଳ ଗୋଟାଉଛି ବାତ୍ୟା ‘ମୋନ୍ଥା’ । ଧିରେ ଧିରେ ସ୍ଥଳ ଭାଗ ଆଡେ ଅଗ୍ରସର ହେଉଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଆଜି(ରବିବାର) ଗଭୀର ଅବପାତର ରୂପ ନେବ । ଆଜିସନ୍ଧ୍ୟା ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବ । ଆସନ୍ତାକାଲି(ସୋମବାର) ଅର୍ଥାତ୍ ୨୭ ତାରିଖ ସକାଳେ ବାତ୍ୟାର ରୂପ ନେବ । ୨୮ତାରିଖ ସନ୍ଧ୍ୟାରୁ ରାତି ଭିତରେ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ । ଆନ୍ଧ୍ରପ୍ରଦେଶ ମଛଲିପଟ୍ଟନମ୍ ଓ କଳିଙ୍ଗପଟ୍ଟନମ୍ ମଧ୍ୟରେ କାକିନଡ୍ଡା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୯୦ରୁ ୧୦୦ କିମି ରହିବ । ଆଜି ବାତ୍ୟାର ଗତିପଥ ନେଇ ଆହୁରି ଚିତ୍ର ସ୍ପଷ୍ଟ ହେବ ହେବ । ଏହାର ବେଗ କେତେ ରହିବ, କେତେ ଶକ୍ତିଶାଳୀ ହେବ ବାତ୍ୟା ମୋନ୍ଥା, ରାଜ୍ୟର କେଉଁ କେଉଁ ଅଞ୍ଚଳ ଅଧିକ ପ୍ରଭାବିତ ହେବ, ସେନେଇ ଅଧିକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ଏବେ ସମୁଦ୍ର ଭିତରେ ଗତି କରୁଛି ଅବପାତ । ଏହାର ପ୍ରଭାବରେ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ରାଜ୍ୟରେ ୨୭ରୁ ୩୦ ପର୍ଯ୍ୟନ୍ତ ୪ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
Comments are closed.