Latest Odisha News

BREAKING NEWS

ବାତ୍ୟା ‘ସିତ୍ରଙ୍ଗ’ ପାଇଁ ୮ ଜିଲ୍ଲା ସଜାଗ, ୨୬ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କଲେ SRC

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଦେଇ ବାତ୍ୟା ଯିବନି । କିନ୍ତୁ ପ୍ରଭାବରେ ଉପକୂଳର କିଛି ଜିଲ୍ଲାରେ ବର୍ଷା ସହ ପବନ ହେବ । ବାତ୍ୟା ‘ସିତ୍ରଙ୍ଗ’ ଓଡ଼ିଶା ଉପକୂଳ ଛୁଇଁବାର ଆଶଙ୍କା ନଥିଲେ ମଧ୍ୟ ପ୍ରଶାସନ ସଜାଗ ରହିଛି । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୮ ଜିଲ୍ଲାକୁ ସଜାଗ କରାଯାଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଏସ୍ଆରସି ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ, ବାତ୍ୟା ଓଡ଼ିଶା ଉପକୂଳର କୌଣସି ସ୍ଥାନ ଛୁଇଁବ ନାହିଁ ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ‘ସିତ୍ରଙ୍ଗ’ ଧାମରାରୁ ଦକ୍ଷିଣପୂର୍ବ ଦିଗରେ ୨୦୦ କିଲୋମିଟର ଦୂରରେ ଅତିକ୍ରମ କରିବ । ପ୍ରଭାବରେ ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଅନ୍ୟ ସ୍ଥାନରେ ଘଣ୍ଟାପ୍ରତି ୩୦ କିଲୋମିଟର ବେଗରେ ପବନ ବହିପାରେ ।

୨୪ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ । ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଓଡ଼ିଶା ଉପକୂଳରୁ ଦୂରରେ ଯିବ ବାତ୍ୟା ‘ସିତ୍ରଙ୍ଗ’ । ଏଥିପ୍ରତି ସରକାର ଓ ଜିଲ୍ଲା ପ୍ରଶାସନ ସଜାଗ ଅଛନ୍ତି । ୮ଟି ଜିଲ୍ଲାକୁ ସତର୍କ କରାଯାଇଛି । ସତର୍କତାମୂଳକ ପଦକ୍ଷେପ ଅନୁସାରେ, ଓଡ୍ରାଫ୍ ସହ ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ଆବଶ୍ୟକ ସ୍ଥାନରେ ମୁତୟନ କରାଯିବ ।

୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି । ବାତ୍ୟା ‘ସିତ୍ରଙ୍ଗ’ ଦ୍ୱାରା ବିଶେଷ ଅସୁବିଧା ହେବାର ଆଶଙ୍କା ନାହିଁ । ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ୨୨ ତାରିଖ ସକାଳ ସୁଦ୍ଧା ମତ୍ସ୍ୟଜୀବୀଙ୍କୁ ଫେରି ଆସିବା ସହ ୨୬ ତାରିଖ ଯାଏ ସମୁଦ୍ର ମନା କରାଯାଇଛି । ବାତ୍ୟାକୁ ନେଇ ଲୋକ ଆତଙ୍କିତ ନହେବାକୁ ଏସ୍ଆରସି କହିଛନ୍ତି ।

ଏବେ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଅବପାତର ରୂପ ନେବ । ଏହାପରେ ଅବପାତ ଉତ୍ତରପଶ୍ଚିମ ଦିଗରେ ଗତି କରି ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ ।

ଏହାପରେ ରିକର୍ଭ ହୋଇ ଉତ୍ତର ଆଡ଼କୁ ଗତି କରି ୨୪ ତାରିଖରେ ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ‘ସିତ୍ରଙ୍ଗ’ରେ ପରିଣତ ହେବ । ଏହା ପରେ ବାତ୍ୟା ସିତ୍ରଙ୍ଗ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ୨୫ ତାରିଖ ସନ୍ଧ୍ୟାରେ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

Leave A Reply

Your email address will not be published.