ଭୁବନେଶ୍ୱର: ବାତ୍ୟା ୟସ୍ ଓଡ଼ିଶା ଉପକୂଳ ଅତିକ୍ରମ କରିବା ବେଳେ କରାଳ ରୂପ ଦେଖାଇବ । ପ୍ରବଳ ବେଗରେ ବହିବ ପବନ । ଆଇଏମଡି ଆକଳନ କରିଛି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଅତି ତୀବ୍ର ବାତ୍ୟା ହୋଇ ହିଟ୍ କରିବ ୟସ୍ । ଏତିକିବେଳେ ଘଣ୍ଟାପ୍ରତି ୧୫୫-୧୬୫ କିଲୋମିଟ ବେଗରେ ପବନ ବହିବ । ସ୍ଥଳବିଶେଷରେ ବଢ଼ି ୧୮୫ କିଲୋମିଟର ଛୁଇଁଯିବ ।
କେଉଁଠି ପବନର ବେଗ କେତେ ରହିବ ?
ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୧୫୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବ । ସ୍ଥଳବିଶେଷରେ ଏହା ୧୮୫ କିଲୋମିଟର ଛୁଇଁପାରେ । ମୟୂରଭଞ୍ଜରେ ୯୦-୧୨୦ ଓ ଏହା ବଢ଼ି ୧୪୫ କିଲୋମିଟର ବି ହୋଇପାରେ । ଯାଜପୁର, କଟକ ଓ ପୁରୀରେ ଘଣ୍ଟାପ୍ରତି ପବନର ବେଗର ରହିବ ୭୦-୮୦ କିଲୋମିଟର ।
ସମୁଦ୍ରରେ ଉଠିବ ୨-୪ ମିଟର ଜୁଆର
ବାତ୍ୟାର ଲାଣ୍ଡଫଲ ସମୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଭୟଙ୍କର ପବନ ସହ ସମୁଦ୍ରରେ ବଡ଼ ଜୁଆର ଆସିବ । ବାଲେଶ୍ୱର ଓ ଭଦ୍ରକରେ ୨-୪ ମିଟର ଏବଂ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ୨ ମିଟରରୁ ଅଧିକ ଉଚ୍ଚର ଜୁଆର ଆସିବା ସମ୍ଭାବନା ରହିଛି ।
ବାତ୍ୟା ୟସ ପ୍ରଭାବରେ ଉପକୂଳ ଓଡ଼ିଶାରେ ଆରମ୍ଭ ହୋଇଛି ବର୍ଷା ପବନ । ଆଜି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏସବୁ ଜିଲ୍ଲାରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କାଲି ବଢ଼ିବ ବର୍ଷା ପରିମାଣ ।
Comments are closed.