Latest Odisha News

BREAKING NEWS

ଘୂର୍ଣ୍ଣିବଳୟ ଯୋଗୁଁ ଓଡିଶାରେ ମଧ୍ୟମଧରଣର ବର୍ଷା ଜାରି

ଭୁବନେଶ୍ୱର : ରାଜ୍ୟରେ ସାଇକ୍ଲୋନିକ୍ ସର୍କୁଲେସନ୍ ପ୍ରଭାବରେ ଶନିବାର ସକାଳୁ ଉପକୂଳ ଓ ପଶ୍ଚିମ ଓଡିଶାର କିଛି ସ୍ଥାନରେ ବର୍ଷା ଓ ଘଡଘଡି ସହ କୋହଲା ପାଗ ଅନୁଭୂତ ହୋଇଛି । ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରାରାଜ୍ୟରେ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ରମେଶ କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜାମ୍ମୁ-କାଶ୍ମୀରରୁ ଆସାମ ଯାଏଁ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପଶ୍ଚିମ ଓଡିଶାର କିଛି ସ୍ଥାନରେ ଶୁକ୍ରବାର ରାତିରେ ସାମାନ୍ୟ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟର ସୁନ୍ଦରଗଡ, ଝାରସୁଗୁଡା,ସମ୍ବଲପୁର, ଦେବଗଡ, କେନ୍ଦୁଝର, ଅନୁଗୁଳ, ବରଗଡ, ସୋନପୁର, ବଲାଙ୍ଗୀର, ନୂଆପଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି, ଉତ୍ତର ଓଡିଶାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ଆସନ୍ତା ଫେବୃଆରୀ ୧୭ ତାରିଖ ତଥା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦେଓଗଡ, କେନ୍ଦୁଝର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଅନୁଗୁଳ, ଢେଙ୍କାନାଳ ଓ ମୟୁରଭଞ୍ଜରେ ବଜ୍ରପାତ ସହ ଉତ୍ତର ଓଡିଶାର କିଛି ଜିଲ୍ଲା ଏବଂ ଦକ୍ଷିଣ ଓଡିଶାର କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି ।

ବିଭାଗର ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ଫେବୃଆରୀ ୧୮ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡିଶାର କିଛି ସ୍ଥାନରେ ସାମାନ୍ୟ ତଥା ମଧ୍ୟମଧରଣର ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି ।

ଆହୁରି ମଧ୍ୟ “ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଗାମୀ ୩ ଦିନ ଧରି ରାତ୍ରିର ତାପାମତ୍ରା ସାମାନ୍ୟ ହ୍ରାସ ପାଇବ” ବୋଲି ଶ୍ରୀଯୁକ୍ତ ନାୟକ କହିଛନ୍ତି ।

ସେହିପରି କଟକ ଓ ଭୁବନେଶ୍ୱର ଏହି ଦୁଇ ସହରରେ ଶନିବାର ଦିନ ସକାଳେ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ବିଜୁଳି ଓ ଘଡଘଡି ହୋଇଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.