Latest Odisha News

BREAKING NEWS

୧୨ ଘଣ୍ଟାରେ ଆରବସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ‘ବିପର୍ଯ୍ୟୟ’

ଭୁବନେଶ୍ୱର: ଦକ୍ଷିଣପୂର୍ବ ଆରବସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ଅବପାତ କ୍ରମଶଃ ଉତ୍ତର ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟାରେ ପୂର୍ବକେନ୍ଦ୍ରୀୟ ଆରବସାଗରରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଏବେ ଅବପାତଟି ଗୋଆ ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୯୨୦ କିଲୋମିଟର ଦୂରରେ ଥିବା ବେଳେ ମୁମ୍ବାଇ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୧୨୦ କିଲୋମିଟର ଏବଂ ପୋରବନ୍ଦର ଠାରୁ ଦକ୍ଷିଣରେ ୧୧୬୦ କିଲୋମିଟର ଓ କରାଚି ଠାରୁ ଦକ୍ଷିଣରେ ୧୫୨୦ କିଲୋମିଟର ଦୂରରେ ରହିଛି ।

ଯଦି ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୁଏ ତାହାଲେ ବାତ୍ୟାର ନା ‘ବିପର୍ଯ୍ୟୟ’ ରହିବ । ଏହି ନାଁ ବାଂଲାଦେଶ ଦେଇଛି । ଯାହାକୁ ଇଂରାଜୀରେ ଡିଜାଷ୍ଟର କୁହାଯାଏ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ସମୁଦ୍ରରେ ମୁମ୍ବାଇ ଠାରୁ ଦକ୍ଷିଣପଶ୍ଚିମ ଦିଗରେ ୮୭୬ କିଲୋମିଟର ଦୂରରେ ଯାଇପାରେ ।

ତେବେ ଏହା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ଜୁନ୍ ୬ରୁ ୧୦ ତାରିଖ ଯାଏ ଦକ୍ଷିଣପଶ୍ଚିମ ଆରବ ସାଗର ଉପକୂଳ କେରଳ, କର୍ଣ୍ଣାଟକ ଓ ଗୋଆ ସହ ଲାକ୍ଷାଦ୍ୱୀପ, ମାଳଦ୍ୱୀପ ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କ ପ୍ରବେଶ ବାରଣ କରାଯାଇଛି ।

ତେବେ ଏବେ ସୁଦ୍ଧା ବାତ୍ୟାର ଗତିପଥ ସ୍ପଷ୍ଟ ହୋଇ ନାହିଁ । ଗୋଟିଏ ପଟେ ଦକ୍ଷିଣପଶ୍ଚମ ମୌସୁମୀ ବାୟୁ କେରଳ ଛୁଇଁବା ବିଳମ୍ବ ହେଉଥିବା ବେଳେ ଲାକ୍ଷାଦ୍ୱୀପ ଉପରେ ଅଟକି ରହିଛି । ଆଗାମୀ ୫ ଦିନ ଯାଏ କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ସହ କେରଳ ଓ ଲାକ୍ଷାଦ୍ୱୀପରେ ବର୍ଷା ସମ୍ଭାବନା ରହିଛି ।

ଏହା ପୂର୍ବରୁ ମେ ମାସରେ  ବଙ୍ଗୋପସାଗରରେ ବର୍ଷର ପ୍ରଥମ ପ୍ରାକ୍ ମୌସୁମୀ ବାତ୍ୟା ମୋଖା ସୃଷ୍ଟି ହୋଇଥିବା ବେଳେ ଏବେ ଆରବସାଗରରେ ବାତ୍ୟା ‘ବିପର୍ଯ୍ୟୟ’ ଆସୁଛି ।

Leave A Reply

Your email address will not be published.