Latest Odisha News

BREAKING NEWS

ବାଲେଶ୍ୱର ଟ୍ରେନ ଦୁର୍ଘଟଣା: ମୃତକଙ୍କ ମଧ୍ୟରୁ ୪୦ ଜଣ ବିଦ୍ୟୁତ ଆଘାତରୁ ମରିଛନ୍ତି

ଭୁବନେଶ୍ୱର: ବାଲେଶ୍ୱର ବାହାନଗାଠାରେ ଗତ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି । ୧୧୦୦ ଯାତ୍ରୀ ଆହତ ହୋଇଛନ୍ତି । ହେଲେ ମୃତକଙ୍କ ମଧ୍ୟରୁ ୪୦ ଜଣଙ୍କର ବିଦ୍ୟୁତ ଆଘାତରୁ ମୃତ୍ୟୁ ଘଟିଥିବା କୁହାଯାଉଛି । ଏମିତି ତଥ୍ୟ ରହିଛି ରେଳବାଇ ପକ୍ଷରୁ ଦାୟର କରାଯାଇଥିବା ଏଫଆଇଆରରେ ।

ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ମୃ୍ତଦେହ କ୍ଷତବିକ୍ଷତ ହୋଇ ଯାଇଥିଲା । ସେମାନଙ୍କୁ ଚିହ୍ନିବା କଷ୍ଟକର ଥିଲା । କିନ୍ତୁ ୪୦ ଜଣଙ୍କର ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିଲା । ତେଣୁ ବିଦ୍ୟୁତ ଆଘାତରେ ଆସି ଏମାନଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ହାୱଡା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଏବଂ ଯଶବନ୍ତପୁର -ହାଓଡା ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ ଦୁର୍ଘଟଣା ପରେ ତାର ଛିଣ୍ଡି ଏହି ୪୦ ଜଣ ବ୍ୟକ୍ତି ବସିଥିବା କମ୍ପାର୍ଟମେଣ୍ଟରେ ପଡି ଯାଇଥାଇ ପାରେ ଯଦ୍ୱାରା ଏମାନଙ୍କର ମୃତ୍ୟୁ ଘଟିଥିବ ବୋଲି ଅନୁମାନ କରାଯାଉଛି ।  ଦୁର୍ଘଟଣା ନେଇ ବାଲେଶ୍ୱର ଜିଆରପି ଷ୍ଟେଶନରେ ଏକ ମାମଲା ରୁୂଜୁ ହୋଇଛି ।

ତେବେ ଦୁର୍ଘଟଣା ନେଇ ଆଜି ସିବିଆଇ ଟିମ ଆସି ବାଲେଶ୍ୱରରେ ପହଞ୍ଚିଛି । କାହିଁକି  ଏବଂ କେଉଁ ପରିସ୍ଥିତିରେ କରମଣ୍ଡଳ ଟ୍ରାକ ବଦଳାଇଲା, କି ପ୍ରକାର ଯାନ୍ତ୍ରିକ ତ୍ରୁଟି ଥିଲା ତାହାର ତଦନ୍ତ କରିବ । ଅନ୍ୟପକ୍ଷେ ମୃତଦେହକୁ ଚିହ୍ନଟ କରିବା ପାଇଁ ଆଜିଠୁ ଡିଏନଏ ଟେଷ୍ଟ କରାଯାଇଛି । ମୃତାହତଙ୍କ ପାଖରେ ସମ୍ପର୍କୀୟମାନେ କିପରି ପହଞ୍ଚିବେ ସେ ନେଇ ଦୁଇଟି ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ନମ୍ବର ୨ଟି ହେଲା 1929 ଏବଂ 18003450061 । ଏହି ନମ୍ବରରେ ଯୋଗାଯୋଗ କଲେ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆ ଯିବ ବୋଲି କହିଛନ୍ତି ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ।

 

Leave A Reply

Your email address will not be published.