Latest Odisha News

BREAKING NEWS

ଆସନ୍ତା ୩୬ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ଅବପାତ !

ଭୁବନେଶ୍ୱର/ନୂଆଦିଲ୍ଲୀ: ଉତ୍ତର ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଏହା ଧିରେ ଧିରେ ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଦିନ ସତର୍କ ସୂଚନା ଜାରି କରାଯାଇଛି ।

ଏନେଇ ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗତ ସୋମବାର ଦିନ ଉତ୍ତର ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୃର୍ଣ୍ଣିବଳୟ ଆଜି ସକାଳ ପ୍ରାୟ ସାଢେ ୫ଟା ୩୦ମି. ସମୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି।

“ଏହି ଅବପାତ ପାରାଦୀପ ଉପକୂଳରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରୁ ପ୍ରାୟ ୯୨୦ କିମି. ଦୂରରେ ରହିଛି । ଯାହା ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢିବା ସହ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନରେ ପରିଣତ ହେବ ବୋଲି ଶ୍ରୀ ମହାପାତ୍ର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଏପରିକି ଏହା ଆଗାମୀ ୩୬ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହେବା ନେଇ ଆଶଙ୍କା କରାଯାଉଛି । ତେବେ ଏହା କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ, ସେନେଇ ସ୍ପଷ୍ଟ କରାଯାଇନଥିବା ସେ ପ୍ରକାଶ କରିଛନ୍ତି ।

ଏହି ସାମୁଦ୍ରିକ ଝଡ ପ୍ରଭାବରେ ଆସନ୍ତା ଶନିବାର ବେଳକୁ ଓଡିଶା ଉପକୂଳ ସମୁଦ୍ର ନିକଟରେ ଘଣ୍ଟାପ୍ରତି ୪୦ରୁ ୬୦କିମି. ବେଗରେ ପବନ ବୋହିପାରେ ।

ଆହୁରି ମଧ୍ୟ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ଉତ୍ତର ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଥିବା ନେଇ ସେ ପ୍ରକାଶ କରିଛନ୍ତି ।

ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ଏହି ଅବଧି ମଧ୍ୟରେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏହାବ୍ୟତିତ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ର ମଧ୍ୟରୁ ପଳାଇ ଆସିବା ପାଇଁ କୁହାଯାଇଛି ।

Leave A Reply

Your email address will not be published.