Latest Odisha News

BREAKING NEWS

ପ୍ରବଳ ବର୍ଷା ଆଶଙ୍କା, ୧୫ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ତଥା ବର୍ଷା ସ୍ଥିତିକୁ ନେଇ ସତର୍କ ରହିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଙ୍ଗଳବାର ଦିନ ଆଲର୍ଟ ଜାରି କରାଯାଇଛି ।

ଉତ୍ତର ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଏହା ଧିରେ ଧିରେ ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ଏହି ଆକଳନ ପରେ ଓଡିଶା ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା କହିଛନ୍ତି, “ଆସନ୍ତା ୯ ତାରିଖ ବେଳକୁ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏପରିକି ଉକ୍ତ ସ୍ଥାନ ଗୁଡିକରେ ଘଣ୍ଟାପ୍ରତି ୬୦କିମି. ବେଗରେ ପବନ ବୋହିପାରେ ।

ଏପରିକି ଏହି ଅବପାତ ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହେବା ନେଇ ଆଶଙ୍କା ରହିଛି । ଏହା କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ, ସେନେଇ ସ୍ପଷ୍ଟ କରାଯାଇନାହିଁ । ତେବେ ଏନେଇ ଭୟଭୀତ ନହେବା ପାଇଁ ସେ ଜନସାଧାରଣକୁ ସୂଚନା ଦେଇଛନ୍ତି ।

ସତର୍କ ସୂଚନା ଜାରି କରାଯାଇଥିବା ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡା ଓ ମାଲକାନଗିରି ଆଦି ।

Leave A Reply

Your email address will not be published.