Latest Odisha News

ସ୍ଥଳଭାଗ ମୁଁହା ‘ନିସର୍ଗ’ : ଆଜି ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ନୂଆଦିଲ୍ଲୀ: ସ୍ଥଳ ଭାଗ ମୁଁହା ସାମୁଦ୍ରିକ ଝଡ଼ ‘ନିସର୍ଗ’ । ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଉତ୍ତର ମହାରାଷ୍ଟ୍ର ଉପକୂଳ ଆଡ଼କୁ ‘ନିସର୍ଗ’ ମୁହାଁଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ସାମୁଦ୍ରିକ ବାତ୍ୟା ଆଲିବାଗ ଠାରୁ ୧୪୦ କିଲୋମିଟର ଦୂରରେ ରହିଥିବା କୁହାଯାଉଛି । ଆଜି ଅପରାହ୍ନ ସୁଦ୍ଧା ଏହା ଆଲିବାଗ ଠାରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ସାମୁଦ୍ରିକ ଝଡ଼ ‘ନିସର୍ଗ’ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୦୦ ରୁ ୧୨୦ କିମି ପ୍ରତି ଘଣ୍ଟା ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।

ଆରବ ସାଗରରେ ସୃଷ୍ଟ ଏହି ସାମୁଦ୍ରିକ ଝଡ଼ ଉତ୍ତର-ପୂର୍ବ ମୁହାଁ ହୋଇ ଉତ୍ତର ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟ ଉପକୂଳ ମଧ୍ୟ ଦେଇ ହରିହରେଶ୍ବର ଏବଂ ଦାମନ ଅତିକ୍ରମ କରିବ।

ରାଜ୍ୟର ଉପକୂଳ ଜିଲ୍ଲାରେ ଘଂଟାପ୍ରତି ୧୦୦-୧୧୦ କିମି ବେଗରେ ପବନ ବୋହିବା ସହିତ ସ୍ଥଳବିଶେଷରେ ଏହା ଘଂଟାପ୍ରତି ୧୨୦ କିମି ପର୍ଯ୍ୟନ୍ତ ଯିବାର ଆଶଙ୍କା ରହିଛି । ଏଥିସହିତ ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ଏବଂ ସମୁଦ୍ରରେ ୧-୨ ମିଟର ଉଚ୍ଚତାର ଲହଡ଼ି ଆସିବାର ଆଶଙ୍କା ରହିଛି । ସାମୁଦ୍ରିକ ଝଡ଼ର ବ୍ୟାପକ ପ୍ରଭାବ ମହାରାଷ୍ଟ୍ରର ଉପକୂଳବର୍ତୀ ଜିଲ୍ଲା ରାୟଗଡ଼, ମୁମ୍ବାଇ, ଠାଣେ ଏବଂ ପାଲଘର ସହିତ ଗୁଜରାଟର ୱଲସାଡ଼, ନବସାରୀ, ସୁରତ, ଭାବନଗର ଏବଂ ଭରୁଚ ଜିଲ୍ଲା ଓ ଡାମନ, ଦାଦରା ଓ ନଗର ହାଭେଳୀ ଉପରେ ପଡ଼ିବାର ଆଶଙ୍କା ରହିଛି ।

ଏସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଏନଡିଆରଏଫ ପକ୍ଷରୁ ୪୦ଟି ଟିମ ନିୟୋଜିତ କରାଯାଇଛି ଏବଂ ଅତିରିକ୍ତ ଟିମଗୁଡ଼ିକୁ ମଧ୍ୟ ବିମାନ ମାର୍ଗରେ ପଠାଯାଉଛି । ସ୍ଥଳସେନା ଏବଂ ନୌସେନାର ଉଦ୍ଧାର ଏବଂ ରିଲିଫ ଦଳ ସହିତ ନୌସେନା ଏବଂ ବାୟୁସେନା ଜାହାଜ ଓ ବିମାନକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

Leave A Reply

Your email address will not be published.