Latest Odisha News

BREAKING NEWS

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ତୀବ୍ର ସାମୁଦ୍ରିକ ଝଡର ରୂପ ନେବ ‘ଅମ୍ଫାନ’

ଭୁବନେଶ୍ୱର: ଆଗାମୀ ୧୨ ଘଣ୍ଟା ମଧ୍ୟରେ ତୀବ୍ର ସାମୁଦ୍ରିକ ଝଡର ରୂପ ନେବ ବାତ୍ୟା ଅମ୍ଫାନ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୧୭ ତାରିଖ ଦିନ ବାତ୍ୟା ପାରାଦୀପ ଠାରୁ ପ୍ରାୟ ୧ ହଜାର କିଲୋମିଟର ଦୂରରେ ଅଛି । ସେହିପରି ପଶ୍ଚିମବଙ୍ଗର ଦୀଘାଠାରୁ ଏହା ୧୧୬୦ କିଲୋମିଟର ଦୂରରେ ଅଛି । ଏନେଇ ଉପକୂଳ ଓଡ଼ିଶାର ୧୨ଟି ଜିଲ୍ଲାର ଲୋକଙ୍କୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ମତ୍ସଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଆଜି ସନ୍ଧ୍ୟା ପରେ ଏହା ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗକୁ ଗତି କରିପାରେ । ବାତ୍ୟା କେଉଁଠି ଲାଣ୍ଡଫଲ କରିବ, ତାହା ସ୍ପଷ୍ଟ ହୋଇପାରି ନାହିଁ ।

ବାତ୍ୟା ଯୋଗୁଁ ଉପକୂଳ ଓଡ଼ିଶା ପ୍ରଭାବିତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଆଜି ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ଅଧିକ ବିପଦ ରହିଥିବା ପାଣିପାଗ ବିଭାଗ ସତର୍କ କରାଇଛି ।

ଏହାର ପ୍ରଭାବରେ ୧୯ ତାରିଖ ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ତେବେ ବାତ୍ୟା ୬ ଘଣ୍ଟା ପୂର୍ବରୁ ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ସ୍ଥଳ ଭାଗଆଡ଼କୁ ଆସୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍ , ଏନଡ଼ିଆରଏଫ ଦଳ ପ୍ରସ୍ତୁତ ରହିଛନ୍ତି । ଏହି ସମସ୍ତ ଟିମଗୁଡ଼ିକୁ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପଠାଇ ଦିଆଯିବ ।

ସେହିପରି ଭାବେ ସରକାରଙ୍କ ପାଖରେ ଏହି ପରିସ୍ଥିତିର ମୁକାବିଲା ଲାଗି ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ମହଜୁଦ ରହିଥିବା ନେଇ ରାଜ୍ୟ ସରକାରଙ୍କ ରିଲିଫ କମିଶନ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.