କୋଭିଡ -୧୯ ନିୟମ ଉଲ୍ଲଂଘନ ପାଇଁ ଚେକ୍ ଗଣତନ୍ତ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କ୍ୟାବିନେଟରୁ ବାହାରକୁ ଯିବାକୁ ପଡିପାରେ। ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ବାବିସ୍ ତାଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଶୁକ୍ରବାର ଇସ୍ତଫା ଦେବାକୁ କହିଛନ୍ତି। ସେ ଇସ୍ତଫା ନଦେବାରୁ ତାଙ୍କୁ ବହିଷ୍କାର କରିବାକୁ ମଧ୍ୟ ସୁପାରିଶ କରାଯାଇଥିଲା।
ବାସ୍ତବରେ ଏକ ଖବରକାଗଜରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଫଟୋ ଦେଖାଯିବା ପରେ ତାଙ୍କୁ କ୍ୟାବିନେଟରୁ ବାହାର କରାଯିବା ପାଇଁ ଦାବି ଆରମ୍ଭ ହୋଇଥିଲା। ଚିତ୍ରରେ ସ୍ୱାସ୍ଥ୍ୟମନ୍ତ୍ରୀ ରୋମନ ପ୍ରିମୁଲା ବୁଧବାର ରାତିରେ ଏକ ରେସ୍ତୋରାଁ ବାହାରକୁ ବାହାରିଲା ବେଳେ ମାସ୍କ ନ ପିନ୍ଧି କାର ଭିତରକୁ ଯାଉଥିବାର ନଜର ଆସିଥିଲେ।
ଏହାପୂର୍ବରୁ ଦେଶରେ ବଢୁଥିବା କରୋନା ସଂକ୍ରମଣର ମୁକାବିଲା ପାଇଁ ଏକ ନୂଆ ଗାଇଡ୍ଲାଇନ୍ ଘୋଷଣା କରାଯାଇଥିଲା। ଅର୍ଥାତ୍ ଲକ୍ଡାଉନ୍ ଜାରି କରାଯାଇଥିଲା। ଏହି ସମୟରେ, ମାସ୍କ ବିନା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିତ୍ର ଉନ୍ମୋଚନ ହେବା ନିୟମର ଖୋଲାଖୋଲି ଭାବେ ଉଲ୍ଲଂଘନ ବୋଲି ବିବେଚନା କରାଯାଉଛି
ଶୁକ୍ରବାର ଦିନ ଖବରକାଗଜ ଏହି ଫଟୋ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ପ୍ରିମୁଲାଙ୍କୁ ଇସ୍ତଫା ଦେବାକୁ କହିଥିଲେ। ଚେକ ଗଣତନ୍ତ୍ରର ସମ୍ବିଧାନ ଅନୁଯାୟୀ, ଜଣେ ମନ୍ତ୍ରୀଙ୍କ ବହିଷ୍କାରକୁ କାର୍ଯ୍ୟକାରୀ କରିବା ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ଆବଶ୍ୟକ। ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଦୁଇ ଅଧିକାରୀଙ୍କ ସହିତ ସାକ୍ଷାତ ଏକ ଘରୋଇ କୋଠରୀରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ କୌଣସି ନିୟମ ଭଙ୍ଗ ହୋଇନାହିଁ। ଉଲ୍ଲେଖନୀୟ ବିଷୟ ହେଉଛି, ସ୍ୱାସ୍ଥ୍ୟମନ୍ତ୍ରୀ ରୋମନ ପ୍ରିମୁଲା ଜଣେ ମହାମାରୀ ବିଶେଷଜ୍ଞ ଏବଂ ଦେଶରେ କୋଭିଡ -୧୯ ନିୟମର ମୁଖ୍ୟ ପରିଚାଳକ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବହିଷ୍କାର ଏବଂ ସମ୍ଭାବ୍ୟ ନୂତନ ନିଯୁକ୍ତି ଉପରେ ଆଲୋଚନା କରିଥିଲେ। ତେବେ ଏହାକୁ ନେଇ କଣ ନିଷ୍ପତ୍ତି ଶୁଣାଯାଇଛି ତାହା ଏଯାଏ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ।
Comments are closed.