ଭୁବନେଶ୍ଵର: ଦହିବରା.. ନାମ ଯେମିତି ସ୍ବାଦ ସେମିତି । ନାଁ ଶୁଣିଲେ ହିଁ ପ୍ରତ୍ୟେକ ଓଡିଆଙ୍କ ମୁହଁରେ ପାଣି ଆସିଯାଇଥାଏ । ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତି । ଦହିପାଣିରେ ଡୁବିଥିବା ବରା ସାଙ୍ଗକୁ ଆଳୁଦମ, ପିଆଜ ଆଉ ସେଓ । ଫିକା ହଳଦିଆ ବରା ସାଙ୍ଗରୁ ଯିଏ ଖାଇଛି ସିଏ ଜାଣିଛି । ଦହିବରା ଖାଇବା ପରେ ରାଗ ଖଟା ଦହିପାଣି ପିଇ ମଜା ନେଇଥାନ୍ତି ଦହିବରା ପ୍ରେମୀ । ଓଡିଶାରେ ଏମିତି କେହି ନଥିବେ ଯାହାକୁ ଦହିବରା ପସନ୍ଦ ନଥିବ ।
ଦହିବରା ଆଳୁଦମ୍ ସାଧାରଣତଃ ଓଡିଶାର ପ୍ରତ୍ୟେକ ସ୍ଥାନରେ ମିଳିଥାଏ । କଟକର ଗଳିକନ୍ଦିରୁ ବାହାରି ବିଶ୍ବ ସ୍ତରରେ ଓଡିଆଙ୍କୁ ଗର୍ବିତ କରିଛି ଦହିବରା ଆଳୁଦମ୍ । ଓଡିଶାକୁ ସ୍ୱତନ୍ତ୍ର କରାଏ ଆମ ଦହିବରା । ବିଦେଶରେ ରହିଲେ ବି ଓଡିଆ ଲୋକ ଦହିବରା ଆଳୁଦମର ସ୍ୱାଦକୁ କେବେ ଭୁଲି ନାହାନ୍ତି । କଟକର ଦହିବରା ଆଳୁଦମ ବିଶ୍ୱ ପ୍ରସିଦ୍ଧ । ଦହିବରା ଆଳୁଦମ କହିଲେ କଟକ ଆଉ କଟକ କହିଲେ ଦହିବରା ଆଳୁଦମକୁ ବୁଝାଏ । ସୁସ୍ବାଦୁ ଦହିବରା ଆଳୁଦମ ବିକ୍ରିରେ କଟକ କେଉଁ କାଳରୁ ପ୍ରସିଦ୍ଧି ଲାଭ କରିଛି । ଏହି ଉପଲକ୍ଷେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ଚାଲିଛି ଏହି ଦିବସ । ଲୋକେ ଦହିବରା ଆଳୁଦମ ଖାଇ ଏହି ଦିବସ ମନାଇଛନ୍ତି । ଗାଁ ଗାଁରେ ଘରେ ଘରେ ଦହିବରାକୁ ବେଶ୍ ଉତ୍ସାହରେ ଖାଇବାକୁ ପସନ୍ଦ କରନ୍ତି ଓଡ଼ିଆ।
ରାତି ଦୁଇଟା ବାଜିଲେ ନିଦରୁ ଉଠିପଡ଼େ ଦହିବରା ବ୍ୟବସାୟୀ । କାରଣ ବିରି ବରା ତିଆରି କରିବାର ସଠିକ ସମୟ ହେଉଛି ଏଇ ମଧ୍ୟ ରାତ୍ର। ଆଉ ସମସ୍ତ ବରାକୁ ତିଆରି କରି ତାହାକୁ ଦହି ରେ ଢାଳି ଏହାପରେ ଆଳୁଦମ ଓ ଘୁଗୁନି ପାଇଁ ଲାଗିପଡ଼େ ମିସ୍ତ୍ରୀ । ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତି ଶେଷ ପରେ ସକାଳୁ ରାସ୍ତା କଡରେ ଲାଗେ ଠେଲା । ଆଉ ଦହିବରା ବାସ୍ନା ରେ ଛାଇ ଯାଆନ୍ତି ଗ୍ରାହକ। ଦହିବରା ଖାଇବା ମଧ୍ୟରେ ସେଓ ପିଆଜ ଧନିଆ ଟିକେ ଟିକେ ମାଗି ମାଗି ଶେଷକୁ ଦହି ପାଣି ପିଇବାର ମଜା ଉଠାଇ ଥାନ୍ତି ଗ୍ରାହକ । ତେବେ ଆଜି ସ୍ୱତନ୍ତ୍ର ଦିନରେ ସମାନ ମଜା ଉଠାଇଛନ୍ତି ଗ୍ରାହକ ଓ ବ୍ୟବସାୟୀ ।
ଇତିହାସ ଅନୁସାରେ, ଦହିବରା ପ୍ରଥମେ ଓଡ଼ିଶାରେ କଟକର ବିଡାନାସି ଠାରେ ପ୍ରସ୍ତୁତ ହୋଇଥିଲା । କଟକରେ ଏହି ଦହିବରା ବ୍ୟବସାୟ କାହିଁ କେତେ ଶହ ଶହ ବର୍ଷ ଧରି ଚାଲି ଆସୁଛି। ଏପରିକି ଦହିବରା କଟକ ର ଅବିଛେଦ୍ୟ ଅଙ୍ଗ ଭାବରେ ଗଣିତ ହୋଇସାରିଛି। ଦିନରେ ଯଦି ଅନ୍ୟ କୌଣସି ଖାଇବା ନମିଳେ ତେବେ ଦହିବରା ହିଁ ଦିନର ଭୋକକୁ ମେଣ୍ଟେଇଦିଏ । କିନ୍ତୁ କଟକ ପ୍ରସିଦ୍ଧ ଦହିବରାକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ନିତ୍ୟାନ୍ତ ଆବଶ୍ୟକତା ବୋଲି ଦାବୀ କରନ୍ତି କଟକବାସୀ ।
ଖାଲି ଓଡ଼ିଶାରେ ସୀମିତ ରହିନି ଦହିବରା, ଦେଶର ବିଭିନ୍ନ ସ୍ଥାନରେ ବି ଏବେ ଓଡ଼ିଆର ଏହି ସ୍ୱାଦକୁ ଚାଖିଛନ୍ତି ଲୋକେ। ୨୦୨୦ରେ ନୂଆଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲରେ ଓଡ଼ିଶାର ଦହିବରାକୁ ପୁରଷ୍କାର ମିଳିଥିଲା । ଓଡ଼ିଶାରେ ପ୍ରତି ବର୍ଷ ମାର୍ଚ୍ଚ ୧ତାରିଖକୁ ଦହିବରା ଦିବସ ଭାବରେ ପାଳନ କରାଯାଏ । ତେବେ ଦହିବରାର ଇତିହାସ ଯେତିକି ପୁରୁଣା ଏହା ମଧ୍ୟ ସାରା ଦେଶରେ ସେତିକି ଲୋକପ୍ରିୟ । ଅବଶ୍ୟ ଏହା ଅଲଗା ଅଲଗା ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ଜଣାଯାଏ । ମରାଠିରେ ଏହାକୁ ଦହି ବଡ଼ା କୁହାଯାଏ, ପଞ୍ଜାବରେ ଏହାକୁ ଦହି ଭଲ୍ଲା, ତାମିଲରେ ଏହା ଥୟରି ବଡେ ନାମରେ ପରିଚିତ ଥିବାବେଳେ ଏହାକୁ ଓଡ଼ିଶା ଓ ବଙ୍ଗଳାରେ ଦହି ବରା କୁହାଯାଏ ।
Comments are closed.