କୁଲୁ: ବେହାଲ ହୋଇପଡିଛି ହିମାଚଳ ପ୍ରଦେଶ । ପ୍ରଥମେ ଖରା, ଆଉ ଏବେ ବାଦଲ ଫଟା ବର୍ଷା ଆଣି ଦେଇଛି ଦୁଃଖ । ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ତଳିଆ ଅଞ୍ଚଳରେ ଲଗାତାର ବାଦଲ ଫଟା ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆସିବା ପରେ ଏବେ ହାହାକାର ଚିତ୍କାର କରୁଛି ହିମାଚଳ । ଅନେକ ଯାନବାହାନ କାଦୁଆରେ ଭାସି ଯାଇଛି, କିଛି କିଛି ମାଟି ତଳେ ଫସିରହିଛି । ବର୍ଷା ଯୋଗୁଁ ଅନେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି ।
ଆଉ ବର୍ଷା ସାଙ୍ଗକୁ ଭୂସ୍ଖଳନରେ ଏବେ ବେହାଲ ହୋଇପଡିଛନ୍ତି ହିମାଚଳ ବାସିନ୍ଦା । ଅନ୍ୟପଟେ ଏବେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ପଶ୍ଚିମ ଝଡ ଯୋଗୁଁ ଲାହୌଲ-ସ୍ପିତି ଏବଂ କନ୍ନୌର ଜିଲ୍ଲା ଏବଂ କୁଲୁ ଜିଲ୍ଲାର ଉଚ୍ଚ ଅଞ୍ଚଳରେ ଥିବା ବିଚ୍ଛିନ୍ନ ସ୍ଥାନଗୁଡ଼ିକରେ ହାଲୁକା ତୁଷାରପାତ ହେବାର ସମ୍ଭାବନା ରହିଛି । ଯାହା ଏବେ ପରିସ୍ଥିତିକୁ ଆହୁରି ଚିନ୍ତାଗ୍ରସ୍ତ କରିଛି ।
ସେପଟେ ହିମାଚଳ ପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ତୁଷାରପାତ ଏବଂ ବର୍ଷା ଯୋଗୁଁ ରାଜ୍ୟର ପାଞ୍ଚଟି ଜାତୀୟ ରାଜପଥ ସମେତ ମୋଟ ୫୮୩ଟି ରାସ୍ତା ଅବରୋଧ ହୋଇଛି । ୨୭୯ଟି ଜଳ ଯୋଗାଣ ଯୋଜନା ପ୍ରଭାବିତ ହୋଇଛି, ୨୨୬୩ ଟ୍ରାନସଫରମର ଖରାପ ହୋଇଯାଇଛି, ଯାହା ଫଳରେ ଅନେକ ଅଞ୍ଚଳ ଜଳ ଏବଂ ବିଦ୍ୟୁଦ୍ ଭଳି ଅତ୍ୟାବଶ୍ୟକ ସେବାରୁ ବଞ୍ଚିତ ରହିଛି ।
ଅନ୍ୟପଟେ ଏଭଳି ସ୍ଥିତିରେ ସତର୍କ ରହିବା ସହ ନଦୀ ଏବଂ ଝରଣାଠାରୁ ଦୂରେଇ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ । ଏଥିସହିତ ପ୍ରଶାସନ ଦ୍ବାରା ଜାରି କରାଯାଉଥିବା ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Comments are closed.